ଅସୁରକ୍ଷିତ ମହିଳା: କଂଗ୍ରେସ କହିଲା ସୁରକ୍ଷା ଦିଅ, ନଦେଲେ ଗାଦି ଛାଡ଼
1 min read
ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା । ବଢୁଛି ନାରୀ ନିର୍ଯାତନା । ଏହି ପ୍ରସଙ୍ଗରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏପଟେ ବିଜେପି ସରକାର ସମୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରି ବିଧାନସଭାରେ ଧାରଣା ଓ ପ୍ରତିବାଦ ଦେଇଛନ୍ତି କଂଗ୍ରେସ ବିଧାୟକ । ଏହି ପ୍ରସଙ୍ଗ ନେଇ ବିଧାନସଭା ଭିତରେ ଓ ବାହାରେ ଦଳ ହଲ୍ଲାବୋଲ ଡାକରା ଦେଇଛି । ସେପଟେ କଂଗ୍ରେସ ଚଷମା ବଦଳାଉ ବୋଲି କହିଛି ବିଜେପି ।
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ନାରୀ ନିର୍ଯାତନା ଶୀର୍ଷରେ । ବଢିଛି ରେପ୍, ଅସୁରକ୍ଷିତ ନାରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆରମ୍ଭ କରି ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ ଆବାସ ସ୍କୁଲରେ ଗର୍ଭବତୀ ହେଉଛନ୍ତି ନାବାଳିକା । ଦଶମ ପରୀକ୍ଷା ଦେବା ବେଳେ ବି ଛୁଆ ଜନ୍ମ କରୁଛି ନାବାଳିକା ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଥିଲେ । ବିଜେପି ସରକାରର ୮ ମାସରେ ୧୬ ଶହରୁ ଅଧିକ ନିର୍ଯାତନା ଓ ନାବାଳିକା ଗର୍ଭବତୀ ହେବା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ । ବେକରେ ବ୍ୟାନର ପକାଇ ବିଜେପି ସରକାର ସମୟରେ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ଚିଠା ଦେଖାଇ ନ୍ୟାୟ ମାଗିଥିଲା କଂଗ୍ରେସ l ଯଦି ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି, ତେବେ ସରକାରରେ ରହିବାର ଅଧିକାର ନାହିଁ କହିଛି ଦଳ ।
ସେପଟେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ । ଓଡ଼ିଶାରେ ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ସିଧା ଟାର୍ଗେଟ କରିଛନ୍ତି ଡବଲ ଇଞ୍ଜିନ ସରକାରଙ୍କୁ । ଏ କ’ଣ ବେଟି ବଢାଓ କି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେଉଛନ୍ତି ଅଥଚ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପିସିସି ସଭାପତି ଅଭିଯୋଗ କରିଛନ୍ତି ଯେ ଆଦିବାସୀ, ଦଳିତଙ୍କୁ ମଣିଷ ଭାବୁନି ବିଜେପି । କଂଗ୍ରେସ ଚୁପ୍ ବସିବ ନାହିଁ । ସରକାର ତୁରନ୍ତ ମହିଳାଙ୍କୁ ସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ । ସରକାରଙ୍କ ଭିତରେ ମାନବିକତା ନାହିଁ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୀରବ । ୪୪ ହଜାର ମହିଳା ଓ ଛୁଆ ନିଖୋଜ ଥିବା ଓଡ଼ିଶାର ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ସୁଭଦ୍ରା ପୂଜା ପାଉଛନ୍ତି ହେଲେ ସୁଭଦ୍ରାଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର । ଅନେକ ମାମଲା ବି ରୁଜୁ ହେଉନି । ଆସନ୍ତା ୧୦ରେ ସବୁ ଜିଲ୍ଲାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।
ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲା କଂଗ୍ରେସ । ଏବେ ଗୋଟିଏ ଦାବି, ମହିଳାଙ୍କୁ ସୁରକ୍ଷା ଦିଅ ନଚେତ ଗାଦିଛାଡ଼ ।