ଚାକିରି ବିକ୍ରି କରୁଛନ୍ତି ବିଜେପି ସରକାର : କଂଗ୍ରେସ

1 min read

ନନ୍ଦିଘୋଷ ବ୍ୟୁରୋ: ଚାକିରୀ ବିକ୍ରି କରୁଛନ୍ତି ବିଜେପି ସରକାର। ଦୁର୍ନୀତିଗ୍ରସ୍ତ ସଂସ୍ଥାକୁ ସରକାରୀ ଚାକିରି ପରୀକ୍ଷା ପରିଚାଳନା ଦାୟିତ୍ବ ଦେଇ କୋଟି କୋଟି ଟଙ୍କାରେ ଚାକିରି ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆଣିଛି ଯୁବ ଏବଂ ଛାତ୍ର କଂଗ୍ରେସ। ଏନେଇ ଆଜି ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ଏହି ସମୟରେ ବ୍ୟାରିକେଡ ଭାଙ୍ଗିବା ସହ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗକୁ ରାଜ୍ୟରେ ହେବାକୁ ଥିବା ପୋଲିସ ସବ-ଇନସପେକ୍ଟର ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ନିଯୁକ୍ତି ପରୀକ୍ଷାକୁ ଦୁର୍ନୀତି ଖୋର ସଂସ୍ଥା ରିଚମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ କମ୍ପାନୀକୁ ରାଜ୍ୟ ସରକାର ପରିଚାଳନା ଦାୟିତ୍ବ ଦେଇଛନ୍ତି । ଯେଉଁ ସଂସ୍ଥା ପୂର୍ବରୁ ବିଭିନ୍ନ ରାଜ୍ୟରେ ପରୀକ୍ଷା ପରିଚାଳନା କରି ପ୍ରଶ୍ନପତ୍ର ଲିକ କରିବା ସହ ଚାକିରି ବିକ୍ରି କରିଥିବା ଅଭିଯୋଗ ରହିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏନେଇ ସଂସ୍ଥା ମୁଖ୍ୟ ପୂର୍ବରୁ ଜେଲ ମଧ୍ୟ ଯାଇଛନ୍ତି। ତେଣୁ ସେହି ସଂସ୍ଥା ଓଡିଶାରେ ପରୀକ୍ଷା ପରିଚାଳନା କଲେ କୋଟି କୋଟି ଟଙ୍କାରେ ଚାକିରି ବିକ୍ରି କରିବ। ଫଳରେ ପୋଲିସ ଲାଞ୍ଚୁଆ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ତୁରନ୍ତ ଏହି ନିଷ୍ପତ୍ତି ପରିବର୍ତ୍ତନ ନକଲେ ସବୁଠି ଜୋରଦାର ବିରୋଧ ହେବ ବୋଲି ଯୁବ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।