ବାଂଲାଦେଶର ଛାତ୍ରନେତା ନାହିଦ ଇସଲାମ କିଏ: କେଜ୍ରିଓ୍ବାଲଙ୍କ ଠାରୁ ପ୍ରେରଣା ପାଇ ଗଠନ କଲେ ନିଜର ପାର୍ଟି

1 min read

ବାଂଲାଦେଶରେ ଗତବର୍ଷ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ହସିନା ପଦ ଛାଡ଼ିବା ଓ ଦେଶ ଛାଡ଼ି ଫେରାର ହେବା ପଛରେ ଜଣେ ଯୁବକଙ୍କ ହାତ ରହିଥିଲା, ତାଙ୍କର ନାମ ହେଉଛି ନାହିଦ ଇସଲାମ । ନାହିଦ ଛାତ୍ର ନେତା ଅଟନ୍ତି ଓ ସେ ’Students Against Discrimination’ ନାମକ ସଂଗଠନର କୋ-ଅର୍ଡିନେଟର ଥିଲେ । ନାହିଦ ଛାତ୍ରଙ୍କ ବିରୋଧ ପ୍ରଦର୍ଶନର ଚେହେରା ଭାବେ ସାମ୍ନାକୁ ଆସିବା ସହ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ । ଏହି କାରଣରୁ ହସିନାଙ୍କୁ କ୍ଷମତା ହରାଇବାକୁ ପଡ଼ିଥିଲା । ନିକଟରେ ମୋହମ୍ମଦ ୟୁନୁସଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ପରେ ପୁଣି ଥରେ ନାହିଦ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ । ଫେବୃଆରୀ ୨୮ ତାରିଖରେ ନାହିଦ ନିଜର ରାଜନୈତିକ ପାର୍ଟିର ଘୋଷାଣା କରି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ ।

ନାହିଦଙ୍କ ବୟସ ମାତ୍ର ୨୭ ବର୍ଷ । ସେ ବାଂଲାଦେଶର ଅନ୍ତରୀଣ ସରକାରରେ ସୂଚନା ଓ ପ୍ରସାରଣ (I&B) ପରାମର୍ଶଦାତା ପଦରେ କାର୍ଯ୍ୟରତ ଥିଲେ । ଯେହେତୁ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା, ସେଥିପାଇଁ ତାଙ୍କର ଇସ୍ତଫା ଲୋକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା । ଶୁକ୍ରବାର ଦିନ ନାହିଦ ଢାକାର ସଂସଦ ନିକଟରେ ଥିବା ମାଣିକ ମିୟା ଏଭିନ୍ୟୁରେ ନିଜର ଏକ ନୂଆ ପାର୍ଟିର ଘୋଷଣା କରିଥିଲେ । ଏହି ପାର୍ଟିର ନାମ ସେ ରଖିଥିଲେ ’ଜାତୀୟ ନାଗରିକ ପାର୍ଟି ବା ନ୍ୟାସନାଲ ସିଟିଜେନ ପାର୍ଟି (NCP) । ଅର୍ଥାତ ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ ଡିସକ୍ରିମିନେସନ’ ନାମକ ସଂଗଂନ ଏବେ ରାଜନୈତିକ ପାର୍ଟିରେ ପରିବର୍ତ୍ତିତ ହୋଇଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି, ଏହି ପାର୍ଟି ବାଂଲାଦେଶର ରାଜନୀତିକୁ ହଲଚଲ କରିଦେବ କି?

ଢାକା ବିଶ୍ବବିଦ୍ୟାଳୟରେ ସମାଜଶାସ୍ତ୍ରର ଛାତ୍ର ନାହିଦ ଇସଲାମ । ୨୭ ବର୍ଷ ବୟସରେ ଶେଖ ହସିନାଙ୍କ ବିରୋଧରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ଚେହେରା ହୋଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ୧୯୯୮ ମସିହାରେ ଜନ୍ମିତ ନାହିଦଙ୍କ ଇତିହାସ ସରକାରଙ୍କ ଜଣେ ଆଲୋଚକ ଭାବେ ରହିଆସିଛି । ଢାକାରେ ଜନ୍ମିତ ଜଣେ ଶିକ୍ଷକଙ୍କ ପୁତ୍ର ନାହିଦ ଭାରତର ସୀମା ସ୍ଥିତ ସୁନ୍ଦରବନ ନିକଟରେ ଥିବା ଏକ କୋଇଲା କାରଖାନା ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥିଲେ । ୨୦୧୭ରେ ବିଶ୍ବବିଦ୍ୟାଳୟରେ ନିଜର ପ୍ରଥମ ସପ୍ତାହରେ ଏହି ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଦୁଇବର୍ଷ ପରେ ସେ ବିଶ୍ବବିଦ୍ୟାଳୟ ନିର୍ବାଚନରେ ସାମିଲ ହୋଇଥିଲେ ଓ ପରେ ନିଜର ସାଥୀଙ୍କ ସହ ମିଶି ଢାକା ବିଶ୍ବବିଦ୍ୟାଳୟରେ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଫୋର୍ସ ନାମକ ଏକ ଛାତ୍ର ସଂଗଠନ ଗଠନ କରିଥିଲେ ।

୨୦୨୪ ମସିହା ଜୁଲାଇରେ ନାହିଦଙ୍କୁ ଦେଶର ଗୁଇନ୍ଦା ସଂସ୍ଥା ତାଙ୍କୁ ଅପହରଣ କରିବା ସହ ନିର୍ଯାତନା ଦେଇଥିଲା । ଉକ୍ତ ଘଟଣା ପରେ ନାହିଦ ଚର୍ଚ୍ଚାକୁ ଆସିଥିଲେ । ଜୁଲାଇ ୧୯ ରାତିରେ ସାଦା ପୋଷାକରେ ୩୦ ପୋଲିସ ଅଧିକାରୀ ତାଙ୍କ ବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ନିଜର ଭୂମିକା ପାଇଁ ଗିରଫଦାରୀରୁ ବର୍ତ୍ତିବା ପାଇଁ ନାହିଦ ଲୁଚିଥିଲେ । ଏହାପରେ ତାଙ୍କର ମୁଣ୍ଡରେ ଏକ କଳା କପଡ଼ା ବାନ୍ଧି ଦିଆଯାଇଥିଲା ଓ ସେ ଦୁନିଆକୁ କେବେ ପୁନର୍ବାର ଦେଖି ପାରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା ।

ଏକ ରିପୋର୍ଟ ମୁତାବକ, ’ଗୁପ୍ତ ଜେଲ’ରେ ନାହିଦଙ୍କୁ ଲୁହା ରଡ଼ ପରି ସାମଗ୍ରୀରେ ପିଟା ଯାଇଥିଲା । ଏକଦିନ ପରେ ତାଙ୍କୁ ଏକ ବ୍ରିଜ ନିକଟରେ ଫୋପାଡ଼ି ଦିଆଯାଇଥିଲା । ଜୁଲାଇ ୨୬ରେ ତାଙ୍କୁ ପୁଣି ଥରେ ହସ୍ପିଟାଲରୁ ଉଠାଇ ନିଆଯାଇଥିଲା । ’ହସିନା ଇସ୍ତଫା ଦେବା ଉଚିତ’ ବୋଲି ଅଗଷ୍ଟ ୩ରେ ନାହିଦ ଢାକା ବିଶ୍ବବିଦ୍ୟାଳୟ ପରିସରରେ ଖୋଲାଖୋଲି ଭାବେ ଆହ୍ବାନ କରିଥିଲେ । ଅଗଷ୍ଟ ୫କୁ ଢାକାର ମଧ୍ୟଭାଗରେ ହସିନାଙ୍କ ବାସଭବନ ନିକଟରେ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ରୁଣ୍ଡ ହୋଇଥିଲେ । ଏହାପରେ ହସିନା ଏକ ଜାହାଜରେ ଭାରତ ଚାଲିଯାଇଥିଲେ । ସେଠାରେ ସେ ଏବେ ନିର୍ବାସନରେ ରହିଛନ୍ତି । ହସିନା କ୍ଷମତାଚ୍ୟୁତ ହେବା ପରେ ତାଙ୍କୁ ନାହିଦଙ୍କୁ ମୋହମ୍ମଦ ୟୁନୁସଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ପରାମର୍ଶଦାତା ନିଯୁକ୍ତି ଦିଆଯାଇଥିଲା । ଗତବର୍ଷ ଅକ୍ଟୋବରରେ ତାଙ୍କୁ ଟାଇମ ପତ୍ରିକାର ପ୍ରତିଷ୍ଠିତ ’ଟାଇମ ୧୦୦ ନେକ୍ସଟ ଲିଷ୍ଟ’ରେ ମଧ୍ୟ ସାମିଲ କରାଯାଇଥିଲା ।