ମେଲବର୍ଣ୍ଣ ଟେଷ୍ଟ ପରେ ସନ୍ନ୍ୟାସ ନେବାକୁ ଚାହୁଁଥିଲେ ରୋହିତ! ଏହି କାରଣରୁ ବଦଳାଇଥିଲେ ମନ

1 min read

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୩-୧ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହାଫଳରେ ଦୀର୍ଘ ୧୦ ବର୍ଷ ପରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା । ଏଥିସହିତ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ଫାଇନାଲ ରେସରୁ ଭାରତ ବାଦ୍ ପଡ଼ିଥିଲା । ଆସନ୍ତା ଜୁନ୍ ମାସ ୧୧-୧୫ରେ ମକ୍କା ଲର୍ଡସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଖରାପ ଫର୍ମ କାରଣରୁ ସିଡନୀ ଟେଷ୍ଟ ନ ଖେଳିବାକୁ ରୋହିତ ନିଷ୍ପତ୍ତି ନେଇଥିଲେ । ସେ ପ୍ଲେଇ-୧୧ରୁ ବାହାରେ ରହିବା ପରେ ବି ଭାରତକୁ ଉକ୍ତ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ଅବସର ନେବାକୁ ଚାହୁଁଥିଲେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅଧିନାୟକ ରୋହିତଙ୍କ ପ୍ରଦର୍ଶନ ସେପରି ଖାସ୍ ନଥିଲା । ସେ ୫ଟି ପାଳିରେ ୬.୨୦ ହାରରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିଲେ । ଖରାପ ଫର୍ମ କାରଣରୁ ରୋହିତ ସିଡନୀ ଟେଷ୍ଟରୁ ବାହାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ । ତେବେ ସେ ବାହାରେ ରହିବା ପରେ ବି ଭାରତ ସିଡନୀ ଟେଷ୍ଟକୁ ହାତଛଡ଼ା କରିଥିଲା । ଏବେ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ସେଥିରେ କୁହାଯାଇଛି, ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ସନ୍ନ୍ୟାସ ନେବାକୁ ଚାହୁଁଥିଲେ, ମାତ୍ର ଶୁଭ ଚିନ୍ତକମାନେ ତାଙ୍କୁ ମନାଇଥିଲେ । ଏହାପରେ ସେ ସନ୍ନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ । ଏକ ସୂତ୍ର ମୁତାବକ, ଏମସିଜି ଟେଷ୍ଟ ପରେ ରୋହିତ ସନ୍ନ୍ୟାସ ନେବାର ମନ ବଦଳାଇଥିଲେ । ଯଦି ଶୁଭ ଚିନ୍ତକମାନେ ତାଙ୍କୁ ଅବସର ନେବାକୁ ରୋକିନଥାନ୍ତ, ତେବେ ଅଷ୍ଟ୍ରେଲିଆରେ ଆଉ ଜଣେ ଭାରତୀୟ ଖେଳାଳି ଅବସର ଘୋଷଣା କରିଥାନ୍ତେ ।

୫ଟି ପାଳିରେ ମାତ୍ର ୩୧ ରନ୍ କରିବା ଓ ଗତ ୬ଟି ଟେଷ୍ଟରେ ୬ ହାରରେ ରନ୍ ସଂଗ୍ରହ କରିବା କାରଣରୁ ରୋହିତ ସନ୍ନ୍ୟାସ ନେବାକୁ ସ୍ଥିର କରିଥିଲେ । ମାତ୍ର ନୂଆବର୍ଷରେ ସିଡନୀ ଟେଷ୍ଟ ପୂର୍ବରେ ତାଙ୍କ ମନ ବଦଳି ଯାଇଥିଲା । ରୋହିତଙ୍କ ସନ୍ନ୍ୟାସ ନେବା ନେଇ ମନ ପରିବର୍ତ୍ତନ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ନାରାଜ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଏସବୁ ମଧ୍ୟରେ ସିଡନୀ ଟେଷ୍ଟ ଅବସରରେ ରୋହିତ ବ୍ରଡକାଷ୍ଟର୍ସଙ୍କ ସହ ଆଲୋଚନା କରିଥିଲେ । ସେ ଅବସର ନେଉନାହାନ୍ତି ବୋଲି ସେହି ଅବସରରେ ରୋହିତ ସ୍ପଷ୍ଟ କରିଥିଲେ ।