ଭିଜୁଛି ଓଡ଼ିଶା, ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ବର : ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ବର୍ଷା ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ନେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓ୍ବେଲମାର୍କ ଲୋପ୍ରେସର ଏବେ ସକ୍ରିୟ ରହିଛି। ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପରେ ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ପୁଣି ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ ବର୍ଷା ୭୪ ମିଲିମିଟର ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି କୋକସରାରେ ୬୫ ମିଲିମିଟର, ନବରଙ୍ଗପୁର ଡାବୁଗାଁରେ ୬୨ ମିଲିମିଟର, ଜୁନାଗଡରେ ୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ସହ ଆସନ୍ତା କାଲି ଠାରୁ ଶୀତ ଏବଂ ଘନ କୁହୁଡି କଲବଲ କରିବ । ବିଶେଷ କରି ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଏହାସହ ଆସନ୍ତା କାଲି ଘନ କୁହୁଡି ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗିରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୭ ତାରିଖରେ ଘନ କୁହୁଡି ନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ କ୍ଷମତା । ଫଳରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବ ।