ମାତିଛନ୍ତି ଲୁଟେରା: ଟାର୍ଗେଟରେ ରାଜଧାନୀ ଉପକଣ୍ଠ ଡୁପ୍ଲେକ୍ସ, ଗୋଟିଏ ରାତିରେ ୪ ଘରେ ବୁଲାଇଲେ କଳାକନା

1 min read

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟ ପାଇଁ ବଦନାମ କମିଶନରେଟ ପୋଲିସ । ଦୁର୍ବଳ ପାଟ୍ରୋଲିଂ ଆଉ ଅନଭିଜ୍ଞ ଅଫିସର ପାଇଁ ବ୍ୟାକଫୁଟରେ କମିଶନରେଟ ପୋଲିସ । ପ୍ରତିଦିନ ଆପାର୍ଟମେଣ୍ଟରେ ଲୁଟେରା ବୁଲାଉଛନ୍ତି କଳାକନା । ପାହାଳ ଥାନା ଅଧୀନରେ ଥିବା ସିଟି ହୋମ ଆପାର୍ଟମେଣ୍ଟରୁ ଗୋଟିଏ ରାତିରେ ୪ଟି ଡୁପ୍ଲେକ୍ସରୁ ଚୋରି ପରେ ପୋଲିସ ଦକ୍ଷତା ନେଇ ଉଠିଛି ପ୍ରଶ୍ନ । ଜଣେ ଶିକ୍ଷୟିତ୍ରୀ ଝିଅ ବାହାଘର ପାଇଁ କିଣି ଥିବା ୪୦ ଲକ୍ଷର ସୁନା, ରୁପା ଓ ହୀରା ଅଳଙ୍କାର ଲୁଟି ନେଇ ଦୁର୍ବୃତ୍ତ ।

ରାଜଧାନୀରେ କମିଶନରେଟ ପୋଲିସର ନିଦ ହଜେଇଛନ୍ତି ଲୁଟେରା । ଟାର୍ଗଟରେ ରାଜଧାନୀ ଉପକଣ୍ଠ ଡୁପ୍ଳେକ୍ସ । ତାଲା ଭାଙ୍ଗି ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ସୁନା, ରୁପା ଏବଂ ହୀରା ଗହଣା । ସିସିଟିଭି ଆଧାରରରେ ତଦନ୍ତ ଚଳାଇଛି ପୋଲିସ । ଭୟରେ ଘର ବିକି ଗାଁକୁ ଚାଲିଯିବେ କହିଛନ୍ତି ବରିଷ୍ଠ ନାଗରିକ । ଲୁଟ୍ ଦିନ ଘରେ ଥିଲେ ଚାଲିଯାଇଥାନ୍ତା ଜୀବନ । ବିଳମ୍ବିତ ରାତିରୁ ସକାଳ ଯାଏଁ ନିର୍ଭୟରେ ଆତଙ୍କ ରଚିଥିଲେ ୬ ମୁଖାପିନ୍ଧା ଲୁଟେରା ।

ସିଟି ହୋମର ପ୍ଲଟ ନମ୍ବର–ଡି ୧୩ରେ ରହୁଥିବା ଶିକ୍ଷୟିତ୍ରୀ ସୁଚେତା ମିଶ୍ର ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ । ହେଲେ ସବୁ ସ୍ବପ୍ନ ଛାରଖାର ହୋଇଗଲା । ୯ ତାରିଖ ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ଲୁଟେରା ଲୁଟି ନେଲେ ୧୫ ଭରି ସୁନା ଅଳଙ୍କାର । ଏପରିକି ଠାକୁରଙ୍କୁ ବି ଛାଡିନାହାନ୍ତି ଚୋର ।

କେବଳ ଡି-୧୩ ନମ୍ବର ନୁହେଁ, ସିଟି ହୋମର ୪ଟି ଡୁପ୍ଲେକ୍ସରେ କଳାକନା ବୁଲାଇଛନ୍ତି ଲୁଟେରା । ଯେଉଁ ଘରୁ ଚୋରି ହୋଇଛି ସେସବୁ ଘର ବନ୍ଦ ଥିଲା ଓ ଘରେ କେହି ନଥିଲେ । ପ୍ରଶ୍ନ ଉଠୁଛି, ଘରେ କେହି ନଥିବା ଖବର ଦୁର୍ବୃତ୍ତ ଜାଣିଲେ କେମିତି ? ଲୁଟରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଛି କି ? ଲୁଟେରାଙ୍କୁ ଧରିବା ବଦଳରେ କାହିଁକି ଚୁପ ବସିଛି ପୋଲିସ ? କେତେ ଆପାର୍ଟମେଣ୍ଟ ଖାଲି ହେଲେ ପୋଲିସର ଚେତା ପଶିବ ?  ଠାଉକିଆ ଚୋରକୁ ଧରି ସମ୍ବାଦିକ ସମ୍ମିଳନୀ ଡାକୁଟିବା କମିଶନରେଟ ପୋଲିସ ଏତେ ବଡ ସିରିଜ୍ ଲୁଟ୍ ଉପରେ କାହିଁକି ମୁହଁ ଖୋଲୁନି ? ତଦନ୍ତରେ ବାଧା ସୃଷ୍ଟି ହେବ କହି ପୋଲିସ ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଏନେଇ ପୋଲିସ ଉପରେ ଭରସା ତୁଟୁଛି ବୋଲି କହିଛନ୍ତି ଘର ମାଲିକ ।

କେବଳ ଉପକଣ୍ଠ ନୁହେଁ, ସହରର ଛାତି ଉପରେ ବି ଲୁଟେରାମାନେ ଆତଙ୍କ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ପୋଲିସ କାର୍ଯ୍ଯଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।