ଜୟନାରାୟଣଙ୍କ ଅହଙ୍କାର ବିଜେପିର ପ୍ରକୃତ ଓଡ଼ିଆ ଅସ୍ମିତା

ସମ୍ବଲପୁର: ଓଡ଼ିଆ ଅସ୍ମିତାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଫୁ । ଭରା ସଭାରେ ରାଜ୍ଯ ସଙ୍ଗୀତକୁ କଲେ ଅସମ୍ମାନିତ । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ଚେୟାରରୁ ଉଠିଲେନି ସମ୍ବଲପୁର ବିଜେପି ବିଧାୟକ । ଓଲଟି କହିଲେ, କେବେ ଠିଆ ହେଉଥିଲି ଯେ ଆଜି ଉଠିଲିନି… । ଜୟନାରାୟଣଙ୍କ ଏଭଳି ଅହଙ୍କାରକୁ ସାରା ରାଜ୍ଯରେ ନିନ୍ଦା କରାଯାଇଥିବା ବେଳେ ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ଉଠିଛି ପ୍ରଶ୍ନ ।

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଜୟନାରାୟଣଙ୍କ ଅପମାନ ଭିଡିଓ ପ୍ରତି ଓଡ଼ିଆଙ୍କ ପାଇଁ ଅପମାନ । ରାଜ୍ୟ ସଙ୍ଗୀତ ଗାନ ବେଳେ ଜୟନାରାୟଣ ଚେୟାରରେ ବସି ରହିଲେ । ଠିଆ ହେବାକୁ ଉପସ୍ଥିତ ଅତିଥି ଠାର ଦେଇଥିଲେ ବି ଖାତିର କଲେନି । ରାଜ୍ୟ ସଙ୍ଗୀତକୁ ଏଭଳି ଅସମ୍ମାନ ଓଡ଼ିଆ ଅସ୍ମିତାକୁ ଯେତିକି କୁଠାରଘାତ କରିଛି ତା’ଠାରୁ ଅଧିକ ପରିତାପର ବିଷୟ ହେଉଛି ଜୟନାରାୟଣଙ୍କ ପ୍ରତିକ୍ରିୟା । ଚାରିଆଡ଼ୁ ସମାଲୋଚନା ପରେ ଜୟନାରାୟଣ ଅହଙ୍କାର ପ୍ରଦର୍ଶନ କରି କହିଛନ୍ତି, ଆଗରୁ କେବେ ଛିଡ଼ା ହୋଇଥିଲି ଯେ ଆଜି ଠିଆ ହେବି ।

ସମ୍ବଲପୁର ମନ୍ଦଳିଆ ପଡ଼ିଆରେ ଆୟୋଜିତ ହୋଇଥିଲା ବିକାଶ ମେଳା । ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସହ ବିଧାୟକ, ଜିଲ୍ଲାପାଳ, ଆରଡିସି ଓ ଅନ୍ଯ ପଦାଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ଆରମ୍ଭରୁ ରାଜ୍ଯ ସଙ୍ଗୀତ ଗାନ କରାଯାଇଥିବା ବେଳେ କେବଳ ଜୟନାରାୟଣ ଛିଡ଼ା ନହୋଇ ବସି ରହିଥିଲେ । ଜଣେ ବିଧାୟକଙ୍କର ଏଭଳି ଆଚରଣ ଓ ପ୍ରତିକ୍ରିୟାକୁ ସବୁ ମହଲରେ ସମାଲୋଚନା କରାଯାଇଛି । ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ ଉଠିଛି ।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ଯ ସଙ୍ଗୀତ ମାନ୍ଯତା ପାଇଁ ୧୯୯୫ରୁ ଦାବି ହୋଇଆସୁଥିଲା । ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ୨୦୨୦ ଜୁନ ୭ ତାରିଖରେ ମାନ୍ଯତା ପ୍ରଦାନ କରାଯାଇଥିଲା । ରାଜ୍ଯ ସଙ୍ଗୀତ ପରିବେଷଣ ସମୟରେ ସାଧାରଣ ଜନତାଙ୍କଠାରୁ ରାଜ୍ଯପାଳ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥାନ୍ତି । ହେଲେ ଜୟନାରାୟଣ ଜଣେ ଜନପ୍ରତିନିଧି ହୋଇ ବି ବିଧି ବ୍ଯବସ୍ଥାକୁ ଫୁ କରିଦେଇଛନ୍ତି । ଉଭୟ ରାଜ୍ଯ ସଙ୍ଗୀତ ଓ ଓଡ଼ିଆ ଜାତି ପ୍ରତି ଅସମ୍ମାନ କରିଛନ୍ତି । ଓଡ଼ିଆ ଅସ୍ମିତାକୁ ଏଭଳି କୁଠାରଘାତକୁ ନେଇ ସାରା ରାଜ୍ଯରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।