ଆଧାର କାର୍ଡ ନଥିବା ଲକ୍ଷାଧିକ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ !

1 min read

ଭୁବନେଶ୍ବର: ରାସନ କାର୍ଡ ପାଇଁ ଇ-କେଓ୍ବାଇସି ସରକାର ବାଧ୍ୟତାମୂଳକ କରିଥିବା ବେଳେ ଆଧାର କାର୍ଡ ନଥିବା ଲକ୍ଷାଧିକ ହିତାଧିକାରୀ ଏଥିରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନେକ ଲୋକଙ୍କ ବାୟୋମେଟ୍ରିକ ହୋଇ ପାରି ନଥିବାରୁ ଆଗକୁ ରାସନ ମିଳି ନପାରେ ବୋଲି ଅନେକ ଆଶଙ୍କା କଲେଣି । ଏହି ସମୟରେ ଯୋଗ୍ୟ ହିତାଧିକାରୀଙ୍କ ସପକ୍ଷରେ ବାହାରିଛି ଲୋକଶକ୍ତି ଅଭିଯାନ ଓ ଓଡିଶା ଖାଦ୍ୟ ଅଧିକାର ଅଭିଯାନ । ରାସନ କାର୍ଡ ସହିତ ଆଧାର କାର୍ଡକୁ ଯୋଡିବା ଯୋଗୁଁ ଲକ୍ଷାଧିକ ହିତାଧିକାରୀ ରାସନରୁ ବଞ୍ଚିତ ହେବେ ବୋଲି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା  ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି ।

ସମସ୍ଯାରେ ଛନ୍ଦି ହୋଇପଡିଛନ୍ତି ଗରିବ । ସୁଭଦ୍ରା ଯୋଜନା ସାଙ୍ଗକୁ ରାସନ କାର୍ଡରେ ଇ-କେଓ୍ବାଇସି ବ୍ୟବସ୍ଥା ଗରିବଙ୍କୁ ଦେଉଛି ଡିଜିଟାଲ ଯନ୍ତ୍ରଣା । ଯେଉଁମାନଙ୍କ ଆଧାର କାର୍ଡ ନାହିଁ କି ବାୟୋମେଟ୍ରିକ ବ୍ୟବସ୍ଥା ନାହିଁ, ସେମାନେ ରାସନ ପାଇବାରୁ ବଞ୍ଚିତ ହେବେ । ୨୦୨୨ରେ ହାଇକୋର୍ଟ ଏମାନଙ୍କ ସପକ୍ଷରେ ରାୟ ଦେବା ପରେ ତତ୍କାଳୀନ ନବୀନ ସରକାର ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ । ହେଲେ ଏବେ ସରକାର ବଦଳିବା ପରେ ବଦଳିଗଲା ନିଷ୍ପତ୍ତି । ଇ-କେଓ୍ବାଇସି ବାଧ୍ୟତାମୂଳକ ହୋଇଥିବା ବେଳେ ୧ ଲକ୍ଷ ୪୭ ହଜାର ଲୋକ ଏଥିରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏବେ ଇ-କେଓ୍ବାଇସି ହୋଇ ନପାରିଲେ ବି ଯୋଗ୍ୟ ହିତାଧିକାରୀଙ୍କୁ ରାସନ ପାଇବାରୁ ବଞ୍ଚିତ କରା ନଯାଉ ବୋଲି କହିଛନ୍ତି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ।

୨୫ ସେପ୍ଟେମ୍ବର ସୁଦ୍ଧା ଇ-କେଓ୍ବାଇସି ନ ହେଲେ ରାସନ ବନ୍ଦ ହୋଇଯିବ ବୋଲି ଗାଁ ଗଣ୍ଡାରେ ପ୍ରଚାର ଚାଲିଛି । ସୋସିଆଲ ମିଡିଆରେ ଖାଦ୍ୟ ଯୋଗାଣ ବିଭାଗର ଏ ସମ୍ପର୍କୀତ ନୋଟିସ ବି ଘୁରି ବୁଲୁଛି । ଏବେ ବି ଅନେକ ଲୋକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଥିବା ବେଳେ ଏପରି କଟକଣା ଯୋଗୁଁ ଲକ୍ଷାଧିକ ଲୋକ ହଇରାଣ ହେବେ । ଇ-କେଓ୍ବାଇସି ଯୋଗୁଁ ରାସନ ଦୋକାନ ସାମ୍ନାରେ ପ୍ରବାସୀ ଶ୍ରମିକ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସମେତ ଅବହେଳିତ ବର୍ଗ ହାଇରାଣ ହରକତ ହେଉଛନ୍ତି । ଆଧାର କାର୍ଡ ନଥିଲେ ବି କାହାକୁ ରାସନ ପାଇବାରେ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଆଧାର କାର୍ଡ ନଥିବା ଲକ୍ଷାଧିକ ଲୋକଙ୍କୁ ବଞ୍ଚିତ କରା ନଯାଉ ଓ ଇ-କେଓ୍ବାଇସି ପ୍ରକ୍ରିୟା ବନ୍ଦ କରିବାକୁ ଖାଦ୍ୟ ଅଧିକାର ଅଭିଯାନ ଦାବି କରିଛି ।

୨୦୨୧ ଜନଗଣନା କେନ୍ଦ୍ର ସରକାର କରି ନଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରରୁ ବାଦ୍ ପଡ଼ିଥିବା ସମସ୍ତଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ଉଚିତ ।