ଇତିହାସକୁ ବିକୃତ କଲେ କ୍ଷମା ଦେବେନି ରାଜ୍ୟବାସୀ: ନବୀନ

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ । ବ୍ଯାସକବିଙ୍କୁ ଅସମ୍ମାନ କରିବା ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ କରି ବର୍ଷିଛନ୍ତି ନବୀନ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି, ଇତିହାସକୁ ବିକୃତ କଲେ କ୍ଷମା ଦେବେନି ରାଜ୍ୟବାସୀ । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ । ସେମାନଙ୍କ ତ୍ୟାଗ, ସାଧନା ଓ ଦୂର ଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଏ ଜାତିର ଅକ୍ଷୟ କୀର୍ତ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି । ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜ ପରିବାରର ଅବଦାନ ସମସ୍ତେ ଜାଣନ୍ତି । ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ନବୀନ ଆହୁରି କହିଛନ୍ତି, କଥାରେ କୋଣାର୍କ ହୁଏ ନାହିଁ । ଗୋଟିଏ ଅନୁଷ୍ଠାନଟିଏ ଗଢ଼ିବା ସହଜ ନୁହେଁ । ଏଥିପାଇଁ ଦରକାର ଅନେକ ତ୍ୟାଗ ଓ ତପସ୍ୟା । ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି । ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ ।