କାନ୍ଦାହାର ବିମାନ ଅପହରଣ କାଣ୍ଡ,ବିମାନରେ ବନ୍ଧକ ଥିଲେ ହଜାର ହଜାର କୋଟିର ମାଲିକ !

1 min read

ନନ୍ଦିଘୋଷ ବ୍ୟୁରୋ : ଏବେ ଚର୍ଚ୍ଚାରେ ଅନୁଭବ ସିହ୍ନାଙ୍କ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ । ଆତଙ୍କବାଦୀଙ୍କ ନାମ ଏବଂ ସୁଟିଂକୁ ନେଇ ସବୁଠି ତର୍କ ବିତର୍କ ଲାଗି ରହୁଛି । କେବଳ ନିର୍ଦ୍ଦେଶକ ନୁହେଁ ବରଂ ନିଟଫ୍ଲିକ୍ସ ମାଲିକ ମଧ୍ୟ ବିବାଦ ଘେରରେ ରହିଛନ୍ତି । ହେଲେ ଏହି ହାଇଜାକ୍ କାହାଣୀ ପଛରେ ଏବେ ଆଉ ଏକ ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଯେତେବେଳେ ଆତଙ୍କବାଦୀ କାଠମାଣ୍ଡୁରୁ ଉଡାଣ ଆରମ୍ଭ କରିଥିବା  IC 814 ବିମାନକୁ ହାଇଜାକ କରିଥିଲେ ସେଥିରେ ମୋଟ ୧୭୬ଜଣ ଯାତ୍ରୀ ଥିଲେ । ହାଇଜାକ ହୋଇଥିବା ଏହି ବିମାନର ୧୭୬ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ କୁବେର ଯାତ୍ରୀ ଥିଲା । ଯାହା ବିଷୟରେ ଆତଙ୍କବାଦୀଙ୍କୁ ତିଳେ ବି ଜଣା ନଥିଲା  । ଯଦି ଆତଙ୍କବାଦୀଙ୍କୁ ଏହି ଭିଆଇପି ଯାତ୍ରୀଙ୍କ ବିଷୟରେ ସୂଚନା ଥାନ୍ତା ତେବେ ସେମାନେ ସାଙ୍ଗେସାଙ୍ଗେ ମାଲାମାଲ ହୋଇଯାଇଥାନ୍ତେ । ଆଉ ସେମାନଙ୍କୁ ଭାରତ ସରକାରଙ୍କ ଠାରୁ ୨୦୦ ମିଲିୟନ ଡଲାର ଦେବାକୁ ଧମକ ଦେବାକୁ ପଡି ନଥାନ୍ତା ।

IC 814 ବିମାନରେ  ଏପରି ଜଣେ କୁବେର ଯାତ୍ରୀ ଯାତ୍ରା କରୁଥିଲେ ଯାହା ବିଷୟରେ କାହାକୁ ବି ସୂଚନା ନଥିଲା  । ଏହି ବିମାନରେ ଇକୋନୋମୀ କ୍ଲାସରେ ବସି ଯାତ୍ରା କରୁଥିବା ଧନୀ ବ୍ୟକ୍ତି ଜଣକ ହେଲେ ରବର୍ଟ ଗିଓରୀ । ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣକ ସେ ସମୟରେ ସ୍ୱିଜରଲ୍ୟାଣ୍ଡର ଧନୀଙ୍କ ମଧ୍ୟରେ ଜଣେ ଥିଲେ । ରବର୍ଟ ଗିଓରୀ ସେତେବେଳେ ୟୁକେର ଏକ କମ୍ପାନୀ ଡି-ଲା-ରୁ (De La Rue )ର ମାଲିକ ଥିଲେ  ଏବଂ ସେ ବିଶ୍ୱର ୯୦ ପ୍ରତିଶତ ମୁଦ୍ରା ମୁଦ୍ରଣ ବ୍ୟବସାୟକୁ ସେ ନିୟନ୍ତ୍ରଣ କରୁଥିଲେ ।

ସୂଚନା ରହିଛି ଯେ, ସେ ଏହି ହାଇଜାକ ବିମାନରେ ନିଜ ପ୍ରେମିକା ଖ୍ରୀଷ୍ଟିନା କାଲାବ୍ରେସଙ୍କ ସହ କାଠମାଣ୍ଡୁରୁ ଛୁଟି କଟେଇ ଫେରୁଥିଲେ । ଏହି ବିମାନରେ ସେ ଅନ୍ୟ ଯାତ୍ରୀଙ୍କ ସହ ୮ ଦିନ ପାଇଁ  ଅପହରଣକାରୀଙ୍କ ସହିତ ବନ୍ଧକ ଥିଲେ । ହେଲେ ତାଙ୍କ ବିଷୟରେ କାହାକୁ କିଛି ଖବର ଜଣା ନଥିଲା । ଏହି ହାଇଜାକରେ ଆତଙ୍କବାଦୀ ମାନେ ଯାତ୍ରୀଙ୍କୁ ମୁକ୍ତ କରିବା ବଦଳରେ  ଭାରତ ସରକାରଙ୍କ ଠାରୁ ୨୦୦ ମିଲିୟନ ଡଲାର ଦେବାକୁ ଦାବି କରିଥିଲେ ।