ମହିଳା, ଶିଶୁ ଓ ଆଦିବାସୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

1 min read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ରାଜ୍ୟରେ ଢିଲା ହୋଇ ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି । ମହିଳା, ଶିଶୁ ଓ ଆଦିବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର । ଏହି କାରଣରୁ ୩ ମାସ ଭିତରେ ବାଲେଶ୍ଵର ରେମୁଣାରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସହିତ ଭୁବନେଶ୍ୱର, ପାଟଣାରେ ନାବାଳିକା ଦୁଷ୍କର୍ମ ଭଳି ଘଟଣା ଘଟିଛି । ମୁଲତବି ଆଲୋଚନାରେ ସରକାରଙ୍କୁ ଭର୍ତ୍ସନା କରିବା ସହିତ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ ମୋହନ ସରକାରଙ୍କୁ ସମାଲୋଚନା କରି ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ଭଳି ଆଇନ ଆଣିବାକୁ ଦାବି କରିଛି ।

ରାଜ୍ୟ ସରକାର ନା ପୀଡିତଙ୍କୁ ସୁରକ୍ଷା ଦେଇ ପାରୁଛନ୍ତି ନା ସେମାନଙ୍କ ପରିବାର ସହ ଠିଆ ହେଉଛନ୍ତି । ରେମୁଣା, ଭୁବନେଶ୍ୱର, ପାଟଣା ଓ ସମ୍ବଲପୁର ଘଟଣାର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୁଲତବି ଆଲୋଚନାରେ ଭାଗ ନେଇ ପ୍ରମିଳା ଅଭିଯୋଗ କରିଛନ୍ତି, ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ବଦଳରେ ଶାସକ ବିଜେପି ୨୪ ବର୍ଷର ବିଜେଡି ସରକାରର ନାଁ ଜପି ଜପି ୫ ବର୍ଷ ବିତାଇ ଦେବ । ବିଜେଡି ସରକାର ଅମଳରେ ଘଟଣାକୁ ଚପାଇ ଦିଆ ଯାଉ ନଥିଲା । ମାମଲା ସଂଖ୍ୟା ବଢୁଥିଲା ସତ, କିନ୍ତୁ ପୋଲିସ ଉପରେ ଲୋକଙ୍କ ଭରସା ଥିଲା । ଏବେର ସରକାର ସେ ଦିଗରେ କିଛି କରୁନାହାନ୍ତି । କାହାକୁ ସୁରକ୍ଷା ଦେଇ ପାରୁନାହାନ୍ତି ।

ପ୍ରମିଳା କଟାକ୍ଷ କରିଛନ୍ତି, ଅଫିସରଙ୍କ ଲେଖାକୁ ମନ୍ତ୍ରୀ କେବଳ ପଢି ଦେଲେ ହେବନି । ମହିଳାଙ୍କୁ ସୁରକ୍ଷା ଦେବାକୁ ପଡ଼ିବ । ବିଜେଡି ଅମଳର ନ୍ୟାୟିକ ନୀତିକୁ ନେଇ ସରକାର ଯଦି କାର୍ଯ୍ୟ କରନ୍ତି ତେବେ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ନବୀନ ସରକାର ସ୍ଵତନ୍ତ୍ର ଡେସ୍କ ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ଏବେ ନୀରବ କାହିଁକି ? ରେମୁଣା, ଭୁବନେଶ୍ୱର, ସମ୍ବଲପୁର ଓ ପାଟଣl ମାମଲାରେ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ ପ୍ରମିଳା ।

ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛି  l ମୁଲତବି ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟିକା ସୋଫିଆ  ଫିରଦୋଶ କହିଛନ୍ତି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଯେମିତି ଅଛି, ମତେ ଡର ଲlଗୁଛି l ଗୃହରେ ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ, ସମେତ ୧୧ ଜଣ ମହିଳା ଅଛନ୍ତି l ଦେଶର ରାଷ୍ଟ୍ରପତି ମଧ୍ୟ ଓଡ଼ିଆ । ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ଚିନ୍ତା ପ୍ରକଟ କରନ୍ତୁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଅଛି । ମହିଳାଙ୍କ ସୁରକ୍ଷା ପାଇଁ ଗୋଟେ ସ୍ଵତନ୍ତ୍ର ବିଲ ଅଣାଯାଉ l ପଶ୍ଚିମବଙ୍ଗ ସରକାର ଭଳି ଓଡ଼ିଶାରେ ଏକ କଡ଼ା ବିଲ ଆଣିବାକୁ ସେ ଦାବି କରିଛନ୍ତି ।

ଗୃହ ବିଭାଗ ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି ଅନୁପସ୍ଥିତ ଥିବାରୁ ତାଙ୍କ ତରଫରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ଆଶ୍ଵାସନା ଦେଇଛନ୍ତି, ଅପରାଧୀଙ୍କ ବିରୋଧରେ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି ଅଛି ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।