ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏପରି କରିବାକୁ ଦିଆଯିବ ନାହିଁ: ମୁନ୍ନା ଖାଁ

ଭୁବନେଶ୍ବର: ଓଡ଼ିଶାରେ ଦଙ୍ଗା ନଥିଲା, ଏବେ ବାରମ୍ବାର ଘଟୁଛି । ଏହାକୁ ବିଜେଡି ପ୍ରତିହତ କରିବ । ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛି ବିଜେଡି । ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, ବିଜେପି ମିଛ କଥା କହି ସରକାରକୁ ଆସିଛି । ଲୋକଙ୍କ ବିଶ୍ୱାସ ରଖିଲାନି । ହେଲେ ବିଜେଡି ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ସେଥିପାଇଁ ଜାତୀୟସ୍ତରରେ ନା ଇଣ୍ଡିଆ ନା ଏନଡିଏ ସହ ଥିଲା ବିଜେଡି ।

ସେ ଆଗକୁ କହିଛନ୍ତି, ଭାରତରେ ସବୁ ଧର୍ମ ଓ ବର୍ଗର ବସବାସ କରିବାର ଅଧିକାର ରହିଛି । ନିଜ ଘରେ ପ୍ରାର୍ଥନା କରିବାକୁ କାହାକୁ ମନା ନାହିଁ । ହେଲେ ଏବେ ଏସବୁ ବେଳେ ଦୁର୍ବ୍ୟବହାର କରାଯାଉଛି, ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ । ବିଜେଡି ଏକ ଧର୍ମ ନିରପେକ୍ଷ ଦଳ । ସବୁ ବର୍ଗଙ୍କୁ ନେଇ ଦଳ ଚାଲିବ । ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହା କରିବାକୁ ଦିଆଯିବ ନାହିଁ ।

ୱାକଫ ବିଲକୁ ନେଇ ମୁନା କହିଛନ୍ତି, ଓ୍ବାକଫ ବିଲ୍ ସଂସଦରେ ଆଣିବାକୁ ବିଜେପି ଉଦ୍ୟମ କରୁଛି । ଯେଉଁଥିପାଇଁ ଜେପିସି ଗଠନ ହୋଇଛି । ଜେପିସି ନିଷ୍ପତ୍ତିକୁ ବିଜେଡି ଅପେକ୍ଷା କରିଛି, ନହେଲେ ଦଳ ଏହାକୁ ବିରୋଧ କରିବ ।

ବୈଠକରେ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ସେମାନଙ୍କ କଥା କହିଲେ । ସଂଖ୍ୟାଲଘୁ ସେଲର ଭାଇମାନେ ଭାଇଚାରା ରକ୍ଷା କରିବାକୁ ବୈଠକରେ ପ୍ରସ୍ତାବ ପାସ ହୋଇଛି ବୋଲି ମୁନ୍ନା ଖାଁ କହିଛନ୍ତି । ବୈଠକରେ ବିଜେଡି ସୁପ୍ରିମୋ ଯୋଗଦେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।