ହିଣ୍ଡନବର୍ଗର ଆରୋପର ଉତ୍ତର ଦେଲେ ସେବି ଅଧ୍ୟକ୍ଷ, କହିଲେ ସବୁ ମିଛ

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଭାରତରେ ଫୁଟିଲା ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ବୋମା। ଏଥର କମ୍ପାନୀ ଯାହାର ଖୁଲାସା କରିଛି, ତାହା ପୂର୍ବଥର ଭଳି ଆଦାନୀ ଗୃପର ନିଦ ହଜାଇ ଦେବା ଭଳି ହୋଇଛି। ଏହି ରିପୋର୍ଟରେ ହିଣ୍ଡେନବର୍ଗ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀ ଧଓ୍ବଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରିପୋର୍ଟରେ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀଙ୍କ ନାଁ ଆଦାନୀ ସ୍କାମ ସହ ଜଡିତ ଥିବା କୁହାଯାଇଛି। ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଛନ୍ତି । ସେ ଏହି ବୟାନକୁ ମିଛ, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ତାଙ୍କ ଜୀବନ ଓ ଆର୍ଥିକ ଅବସ୍ଥା ଏକ ଖୋଲା ପୁସ୍ତକ ବୋଲି ବୋଲି କହିଛନ୍ତି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଆଦାନୀ ଗୃପର ଜାଲ କମ୍ପାନୀରେ ମାଧବୀ ଓ ତାଙ୍କ ସ୍ବାମୀଙ୍କର ଅଂଶଧନ ରହିଥିଲା। ତେଣୁ ଆଦାନୀ ମାମଲାରେ ସେବି ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କୋଟିପତି ଶିଳ୍ପପତି ଗୌତମ ଆଦାନୀଙ୍କ ଗୃପ କମ୍ପାନୀ ଉପରେ ପୂର୍ବ ରିପୋର୍ଟ ପ୍ରକାଶର ୧୮ ମାସ ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ହିଣ୍ଡେନବର୍ଗ। ଏହି ରିପୋର୍ଟ ପ୍ରକାଶ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମରିସସରେ ଆଦାନୀ ଗୃପର କଳା ଟଙ୍କା ନେଟଓ୍ବର୍କ ବିଷୟରେ ସୂଚନା ଦିଆଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

ରିପୋର୍ଟରେ କୁହାଯାଇଛି ଯେ, ଆଦାନୀ ସ୍କାମରେ ବ୍ୟବହୃତ ବିଦେଶୀ ସଂସ୍ଥା ଗୁଡ଼ିକରେ ସେବି ଅଧ୍ୟକ୍ଷା ଏବଂ ତାଙ୍କର ସ୍ବାମୀଙ୍କର ସେୟାର ରହିଛି। ଏହି ସଂସ୍ଥା ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ଦ୍ବାରା ପରିଚାଳିତ ହେଉଥିବା କୁହାଯାଇଛି। ସେବୀ ଅଧ୍ୟକ୍ଷା ମାଧବୀ ତାଙ୍କ ଅଂଶଧନକୁ ତାଙ୍କ ସ୍ବାମୀଙ୍କୁ ହସ୍ତାନ୍ତର କରିଥିଲେ। ସିଙ୍ଗାପୁରର ଆଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ମାଧବୀଙ୍କର ଶହେ ପ୍ରତିଶତ ଅଂଶଧନ ରହିଥିଲା। ତେବେ ସେବି ଅଧ୍ୟକ୍ଷା ହେବାର ଦୁଇ ସପ୍ତାହ ପୂର୍ବରୁ ଏହି କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ବାମୀଙ୍କ ନାଁକୁ ହସ୍ତାନ୍ତର କରିଥିଲେ ମାଧବୀ। ଗତବର୍ଷ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗୃପ ବିରୋଧରେ ଷ୍ଟକ୍ ହେରଫେର ଏବଂ ଆକାଉଣ୍ଟସରେ ଜାଲିଆତି କରିଥିବା ଭଳି ରିପୋର୍ଟ ପ୍ରକାଶ ପାଇଥିଲା।