ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏମ୍ସ ପରିସରରେ ପଡ଼ିଛି କୁଢ଼କୁଢ଼ ଅଳିଆ

ଭୁବନେଶ୍ବର: ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ । ଠିକା ସଂସ୍ଥାର ଶୋଷଣ ନୀତି ଅଭିଯୋଗରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଠିକା ସଂସ୍ଥା କୌଣସି ସୁବିଧା ସୁଯୋଗ ନଦେଇ ଓଲଟି ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପଟେ କର୍ମଚାରୀଙ୍କ ଅଭିଯୋଗକୁ ଭୀତ୍ତିହୀନ ବୋଲି କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ ।

ଡଷ୍ଟବିନ, ଟଏଲେଟ, ୱାର୍ଡ । ସବୁଠି କୁଢକୁଢ ଅଳିଳା, ଗଦାଗଦା ଆବର୍ଜନା । ଇଏ କେଉଁ ରାସ୍ତାଘାଟ କି ବସଷ୍ଟାଣ୍ଡର ଚିତ୍ର ନୁହେଁ । ଖୋଦ୍ ଭୁବନେଶ୍ବର ଏମ୍ସରେ ଏଭଳି ବିକଳ ଅବସ୍ଥା । ହସ୍ପିଟାଲରେ ଏକଦମ ବିପର୍ଯ୍ଯସ୍ତ ହୋଇଯାଇଛି ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ସଫେଇ କାମ । ଠିକା ସଂସ୍ଥାର ମନମାନୀ ଓ ଶୋଷଣ ନୀତି ବିରୋଧରେ ପ୍ରାୟ ହଜାରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସମସ୍ଯା ସୃଷ୍ଟି ହୋଇଛି । ଫଳରେ ଡାକ୍ତରଖାନାର ବାହାରଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ବାଥରୁମରେ ଆବର୍ଜନା ଜମି ରହିଛି । କର୍ମଚାରୀ ଅଭିଯୋଗ କରିଛନ୍ତି, ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସେମାନଙ୍କ ଉପରେ ଜୁଲମ କରୁଛି । ନା ଠିକ ସମୟରେ ଦରମା ମିଳୁଛି ନା ଦରମା ବଢୁଛି । ଏମିତିକି ମାସରେ ୪ ଦିନ ଛୁଟି ବି ମିଳୁନି ।

କର୍ମଚାରୀଙ୍କ କହିବା କଥା ହେଲା, ପୂର୍ବରୁ ଦୁଇଟି ସଂସ୍ଥା ଅଧୀନରେ ସେମାନେ କାମ କରୁଥିଲେ । ଏବେ ଆଉ ଏକ ନୂଆ ସଂସ୍ଥାକୁ ଏମ୍ସ କର୍ତ୍ତୃପକ୍ଷ ଦାୟିତ୍ବ ଦେଇଛନ୍ତି । ହେଲେ ଏହି ଠିକା ସଂସ୍ଥା ବିଭିନ୍ନ ସମୟରେ କର୍ମଚାରୀଙ୍କୁ ଶୋଷଣ କରୁଛି । ଇଏସଆଇ ଓ ଇପିଏଫରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି । କେହି ପ୍ରତିବାଦ କଲେ ସେମାନଙ୍କୁ ଟାର୍ଗେଟ କରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଠିକା ସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଲୋଚନା ମାଧ୍ଯମରେ ସମସ୍ଯାର ସମାଧାନ ହେବ ବୋଲି କହିଛନ୍ତି ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ମଧ୍ଯ ସନ୍ତସନ୍ତ ହେଉଛନ୍ତି । ଏଣୁ ତୁରନ୍ତ ଠିକା ସଂସ୍ଥା ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି ।