ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଗୃହ ସୁରୁଖୁରରେ ଚଲାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ ।

ବାଚସ୍ପତି ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ ଉପସ୍ଥିତ ଅଛନ୍ତି । ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି । ସେହିପରି ବିଜେଡି ପକ୍ଷରୁ ବିରାଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟପକ୍ଷରେ ବୈଠକରେ କଂଗ୍ରେସର କୌଣସି ବିଧାୟକ ଯୋଗଦେଇ ନଥିଲେ ।

ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବଦଳୀୟ ବୈଠକ ସହ ସମସ୍ତ ଅଧିବେଶନରେ ଯୋଗ ଦେବାକୁ ନବୀନଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଯାହା ଗଠନ ମୂଳକ ପ୍ରସ୍ତାବ ଦେବେ, ତାହା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।