ମୁଜ୍ଜାଫାରପୁରରେ ବନ୍ୟା ବିତ୍ପାତ; ଲକ୍ଷାଧିକ ଲୋକ ପ୍ରଭାବିତ

ପାଟଣା : ବିହାରର ମୁଜ୍ଜାଫାରପୁରରେ ବନ୍ୟା ବିତ୍ପାତ । ଗତ କିଛିଦିନ ତଳେ ଲଗାଣ ବର୍ଷା ହେବା ପରେ ନଦୀର ଜଳସ୍ତର ବୃଦ୍ଧି ଘଟି ଏକାଧିକ ପଞ୍ଚାୟତ ଜଳମଗ୍ନ ହୋଇଛି । ଫଳରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜଳ ପ୍ରଳୟରୁ ରକ୍ଷା ପାଇବା ପାଇଁ ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଯେଉଁମାନେ ପାଣି ଘେରରେ ଫସି ରହିଛନ୍ତି ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ଆଲୋଚନା କରିଛି ।

ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ । ଏହାସହ ଯେଉଁ ସ୍ଥାନ ମାନଙ୍କରେ ଯୋଗଯୋଗ ବିଛିନ୍ନ ହୋଇଛି ସେଠାରେ ଡଙ୍ଗା ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି । ବିହାରର ମୁଜ୍ଜାଫାରପୁର ପରି ଉତ୍ତର ପ୍ରଦେଶର ହାରଦୋଇରେ ବି ବନ୍ୟା ପ୍ରଳୟ । ବନ୍ୟା ପାଣି ମାଡ଼ି ଯିବାରୁ ହାରଦୋଇ ଅଞ୍ଚଳର ପ୍ରାୟ ୧୦୦ ଗାଁ ପ୍ରଭାବିତ ହୋଇଛି ।

ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାତ୍ରା କରୁଥିବା ବେଳେ ନଦୀର ଜଳସ୍ତର ବୃଦ୍ଧିକୁ ଲକ୍ଷ୍ୟ କରି ସଜାଗ ରହିଛନ୍ତି ଏସଡିଆରଏଫ ଟିମ । ବିହାର , ଉତ୍ତର ପ୍ରଦେଶ ପରି ଆସାମରେ ବି ତାଣ୍ଡବ ରଚୁଛି ବନ୍ୟା । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବୃଦ୍ଧି ଘଟିବା ପରେ ଆସାମର ମୋରି ଗାଁଓ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଗାଁରେ ପାଣି ପଶି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି । ପ୍ରାୟ ୧୫ ଦିନ ହେବ ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି ।