ଖଲ୍ଲିକୋଟ ହିଂସା ଘଟଣାରେ ଉଦବେଗ ପ୍ରକାଶ କଲେ ମୁଖ୍ଯମନ୍ତ୍ରୀଙ୍କ
ଭୁବନେଶ୍ୱର : ଖଲ୍ଲିକୋଟ ହିଂସା ଘଟଣାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏଭଳି ଘଟଣା ପାଇଁ ସେ ମର୍ମାହତ ଓ ଦୁଃଖିତ । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ । ମୃତ ବ୍ଯକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।