ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
1 min readନନ୍ଦିଘୋଷ ବ୍ୟୁରୋ: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟାରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଉଦ୍ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ- ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। 5T ସ୍କୁଲ ରୂପାନ୍ତରଣରେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ୍, ଇ- ଲାଇବ୍ରେରୀ, ମଡର୍ଣ୍ଣ ଲାବୋରଟୋରୀ ଆଦି ବିକାଶ କରାଯାଇଛି। ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୈଶଳର ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ପ୍ଲାନେଟୋରିୟମ ତଥା ସ୍କୁଲମାନଙ୍କରେ ଇନୋଭେସନ ସେଣ୍ଟର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗିର, ସୁନ୍ଦରଗଡ ଓ ଗଂଜାମ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟୋରିୟମ ମଧ୍ୟ ଖୋଲାଯିବ । 5T ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା, ପ୍ଲାନେଟାରିୟମ ପାଇଁ ୧୫ କୋଟି ଟଙ୍କା ଏବଂ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ପାଇଁ ୨୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜୟପୁରରେ ଯୋଗଦେଇଥିଲେ।5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିଲାମାନଙ୍କ ସହିତ ଆଲୋଚନା କରି ବିଜ୍ଞାନ ଶିକ୍ଷା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ।