ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି; ବିଶ୍ୱ ରେକର୍ଡ଼ କରିବାକୁ ପ୍ରୟାସ

ଜନକପୁର: ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର। ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଭଗବାନଙ୍କ ଚିତ୍ର ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା। ଏଥିରେ ଧାନ, ମାଣ୍ଡିଆ, ମୁଗ, କୋଳଥ ଭଳି ୧ କ୍ୱିଣ୍ଟାଲରୁ ଅଧିକ ଖାଦ୍ୟ ଶସ୍ୟର ବ୍ୟବହାର ହୋଇଛି। ।

ଏହି ଚିତ୍ରର ଲମ୍ବ ୧୨୦ ଫୁଟ୍ ହୋଇଥିବା ବେଳେ ଚଉଡା ରହିଛି ୯୧.୫ ଫୁଟ୍।  ଚିତ୍ର ଆଙ୍କିବା ପାଇଁ ୧୦ ଜଣ କଳାକାର ଏକାଠି ହୋଇଥିଲେ। ଯେଉଁଥିରେ ନେପାଳର ଦୁଇଜଣ ଏବଂ ଭାରତର ଆଠ ଜଣ କଳାକାର ରହିଛନ୍ତି । ତେବେ ଚିତ୍ର ତିଆରିରେ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇନଥିବା ଜଣାପଡିଛି।

ଚିତ୍ର ନିର୍ମାଣରେ ସମ୍ପୃକ୍ତ ଜଣେ କଳାକାର ସତୀଶ ଗୁଜର କହିଛନ୍ତି, ସେମାନେ ପ୍ରଭୁ ରାମ, ଦେବୀ ସୀତା, ବିଶ୍ୱମିତ୍ର ଏବଂ ରାଜା ଜନକଙ୍କ ଚିତ୍ର ବନାଇଛନ୍ତି। ସେ କହିଛନ୍ତି ଯେ ‘ବିଭା ପଞ୍ଚମୀ’ ଅବସରରେ କଳାକାରମାନେ ଏକାଠି ହୋଇ ଏହି ଚିତ୍ର ନିର୍ମାଣ କରିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ପ୍ରତିକୃତି ତିଆରି କରିବା ପାଇଁ ଶସ୍ୟ ବ୍ୟବହାର କରିଥିଲେ ଗୁଜର । ଏହି ଚିତ୍ରଟି ୧୦,୮୦୦ ବର୍ଗଫୁଟର ଏକ କ୍ଷେତ୍ରକୁ ଆବଦ୍ଧ କରିଥିଲା । ନେପାଳରେ ତିଆରି ହୋଇଥିବା ଏହି ବିଶାଳ ଚିତ୍ରକୁ କରିବା ଲାଗି ପାଖାପାଖି ୧ ସପ୍ତାହ ସମୟ ଲାଗିଥିଲା । ପରବର୍ତ୍ତୀ ସମୟରେ ଏହାକୁ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା ।

ନଜର ପକାନ୍ତୁ