କଟକର SCB ମେଡିକାଲ୍ କଲେଜକୁ AIIMS ପ୍ଲସ୍ କରାଯିବାକୁ ଲକ୍ଷ୍ୟ, ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ହେବ
1 min readଭୁବନେଶ୍ୱର : ଲୋକସେବା ଭବନରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ଖର୍ଚ୍ଚ ହେବ ୧୦୦୦ କୋଟିରୁ ଅଧିକ ଟଙ୍କା । ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ିତୋଳାଯିବାକୁ ଲକ୍ଷ୍ୟ ରଖାଯାଇଛି । ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହ ଏସସିବିକୁ ତୁଳନା କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାର ଡାକ୍ତରଙ୍କୁ ସେବା ପାଇଁ ଆକୃଷ୍ଟ କରିବା ପାଇଁ ହସ୍ପିଟାଲରେ ମନୋରଂଜନର ଉତ୍ତମ ପରିବେଶ ସୃଷ୍ଟି କରାଯିବ । ହଜାରେ କୋଟିର ନିବେଶ ଫଳରେ ହସ୍ପିଟାଲରେ ଏକ ବଡ଼ ପରିବର୍ତ୍ତନ ଆସିପାରିବ ଯେଉଁଥିପାଇଁ ରାଜ୍ୟ ବାହାରକୁ ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଏସସିବି ଦେଶର ୧୪ତମ ସ୍ଥାନରେ ରହିଛି । ଏହାକୁ ଶ୍ରେଷ୍ଠ ୩ ଚିକିତ୍ସାଳୟ ମଧ୍ୟରେ ସ୍ଥାନ ଦେବାକୁ ଆହ୍ନାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟକ୍ଷେତ୍ର ପରି ଓଡ଼ିଶାର ଚିକିତ୍ସାସେବାକୁ ମଧ୍ୟ ବିଶ୍ୱସ୍ତରୀୟ ମର୍ଯ୍ୟାଦା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଛନ୍ତି ।
ଆଜି ଭୋରୁ ଭୋରୁ ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ କଟକର ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀ ଓ ସଂପର୍କୀୟଙ୍କ ମତାମତ ନେଇଥିଲେ । ସେଠାରେ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ପାଣ୍ଡିଆନ୍। ଆଜି ଲୋକସେବା ଭବନରେ ସନ୍ଧ୍ୟାରେ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ଘୋଷଣା କରିଛନ୍ତି । ')}