ମୟୂରଭଞ୍ଜ: ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କୁଡୁମୀ ସଂପ୍ରଦାୟ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି କୁଡୁମୀ ସଂପ୍ରଦାୟର ବିଭିନ୍ନ ସଂଗଠନର ସମର୍ଥକ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କୁଡୁମୀ ସଂପ୍ରଦାୟର ବିଭିନ୍ନ ସଂଗଠନ ପକ୍ଷରୁ ସେମାନଙ୍କୁ ଜନଜାତି ତାଲିକାରେ ସାମିଲ କରିବା ପାଇଁ ବିଭିନ୍ନ ଫୋରମରେ ଆନ୍ଦୋଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । ଏଥିରେ କୁଡୁମୀ ସମ୍ପ୍ରଦାୟର ଏହି ଆନ୍ଦୋଳନକୁ ଅଵାସ୍ତବ କହିବା ସହିତ ତାଙ୍କ ସଂଗଠନର ନେତୃତ୍ଵ ନେଉଥିବା କର୍ମକର୍ତ୍ତା ଦିଲ୍ଲୀରେ ନାଟକ କରୁଥିବା କହିଛନ୍ତି। ଏମିତି ଶହେ ବର୍ଷ ଆନ୍ଦୋଳନ କଲେ ମଧ୍ୟ କିଛି ସୁଫଳ ମିଳିବ ନାହିଁ ବୋଲି କହି ତାତ୍ସଲ୍ୟ କରିଥିଲେ ବିଶ୍ୱେଶ୍ୱର। ଏହାକୁ କୁଡୁମୀ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି।

