୨୧ ଜୁଲାଇରେ ଦେଶ ଦେଖିବ ନୂଆ ରାଷ୍ଟ୍ରପତି, ୨୪ରେ ସରୁଛି କୋବିନ୍ଦଙ୍କ କାର୍ଯ୍ୟକାଳ

1 min read

ନୂଆଦିଲ୍ଲୀ: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ । ଜୁଲାଇ ୧୮ରେ ହେବ ନିର୍ବାଚନ । ୨୧ ଜୁଲାଇରେ ହେବ ଫଳାଫଳ ଘୋଷଣା । ଆସନ୍ତା ୧୫ ଜୁନରେ ଅଧିସୂଚନା ଜାରି ହେବ । ଏହାସହ ୨୯ ଜୁନରୁ ରାଷ୍ଟ୍ରପତି ନିର୍ବାଚନ ନେଇ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ସିଇସି ରାଜୀବ କୁମାର । ସେ କହିଛନ୍ତି- ନିର୍ବାଚନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ସରିବା ପରେ ଗଣତି ନୂଆଦିଲ୍ଲୀର ହେବ । ଆସନ୍ତା ଜୁଲାଇ ୨୪ତାରିଖରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ନିର୍ବାଚନ କମିଶନର ଅନୂପ ଚନ୍ଦ୍ର ପାଣ୍ଡେ । ସେପଟେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚାଲିଛି ଅଙ୍କକଷା । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଛି । ଗତ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିବାବେଳେ ଫଳାଫଳ ଘୋଷିତ ହୋଇଥିଲା ୨୦ରେ । ସମ୍ବିଧାନର ଧାରା ୬୨ ଅନୁସାରେ ପଦାସୀନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନେବା ଆବଶ୍ୟକ । ଏହି ନିର୍ବାଚନରେ ଭାଗ ନେବେ ଦେଶର ସମସ୍ତ ରାଜ୍ୟର ବିଧାୟକ, ରାଜ୍ୟସଭା ଓ ଲୋକସଭା ସାଂସଦ ।

ତେବେ ବିଧାନସଭା ପରିଷଦର ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ  ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି । ଏହି ନିର୍ବାଚନରେ ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଅର୍ଥାତ ମୋଟ ୭୭୬ ସାଂସଦ ଭାଗନେବେ । ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ବିଧାୟକ  ମଧ୍ୟ ଭାଗନେବେ । ବର୍ତ୍ତମାନର ସ୍ଥିତି ଅନୁସାରେ ଉତ୍ତରପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ଥିବାବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ବିଧାୟକ ରହିଛନ୍ତି ।