ଉତ୍ତରାଖଣ୍ଡ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ମାମଲାରେ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଗତବର୍ଷ ହରିଦ୍ୱାରରେ ଆୟୋଜିତ ଧର୍ମସଂସଦରେ ଘୃଣା ଭାଷଣ ମାମଲାରେ ଚାରିଟି ଏତଲା ଦାୟର ହୋଇଛି ବୋଲି ଉତ୍ତରାଖଣ୍ଡ ସରକାର ଆଜି ଶୁଣାଣି ବେଳେ କହିଥିଲେ । ଏହାପରେ ସୁପ୍ରିମକୋର୍ଟ ଏହି ମାସ ୨୨ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଛନ୍ତି ।

ଧର୍ମସଂସଦରେ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଆପତ୍ତିଜନକ ଭାଷଣ ଘଟଣାର ନିରପେକ୍ଷ ଓ ବିଶ୍ବସନୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସାମ୍ବାଦିକ କୁର୍ବାନ ଅଲ୍ଲୀ ଓ ପାଟନା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଞ୍ଜନା ପ୍ରକାଶ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ବର୍ଷ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟ ଆବେଦନ ଉପରେ ନୋଟିସ ଜାରି କରିଥିଲେ । ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।