ଆସିଲା ବାତ୍ୟା ‘ଜୱାଦ’ର ଗତିପଥ ଚିତ୍ର, ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ

1 min read
Cyclone Jawad Danger Signal 1 In All Port Of Odisha

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଶକ୍ତିଶାଳୀ ହେଉଛି । ଏବେ ଅବପାତ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟ୍ଟଣ ଠାରୁ ୯୬୦ କିଲୋମିଟର ଦୂରରେ ରହିଛି । ସେହିଭଳି ସମାନ ଦିଗରେ ଗୋପାଳପୁର ଠାରୁ ୧ ହଜାର ୨୦ କିଲୋମିଟର ଏବଂ ପାରାଦୀପ ଠାରୁ ୧ ହଜାର ୬୦ କିଲୋମିଟର ଦୂରରେ ରହିଛି । ୩ ତାରିଖ ସକାଳେ ଅବପାତ, ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ ।

ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ବାତ୍ୟା ‘ଜୱାଦ’ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ୪ ତାରିଖ ସକାଳେ ଅତିକ୍ରମ କରିବା ଆଶଙ୍କା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୪ ତାରିଖ ଅପରାହଣରେ ଭୀଷଣ ବାତ୍ୟାରେ ପରିଣତ ହେବ । ଏହାପରେ ୫ ତାରିଖ ସକାଳେ ସାମୁଦ୍ରିକ ଝଡ଼ର ରୂପ ନେବ । ବାତ୍ୟା ‘ଜୱାଦ’ ସ୍ଥଳଭାଗ ଛୁଇଁବା ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ।

Cyclone Jawad Danger Signal 1 In All Port Of Odisha

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ । ପ୍ରଭାବରେ ୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ । ୪ ତାରିଖରେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ । ସମୁଦ୍ର ୫ ତାରିଖ ଯାଏଁ ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅବପାତ, ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Leave a Reply