ପାଣ୍ଡୋରା ପେପର୍ସରେ ୭୦୦ ପାକିସ୍ତାନୀଙ୍କ ନାମ, କ’ଣ ପାଇଁ ମୁସ୍କିଲରେ ଇମ୍ରାନ୍ ?

1 min read

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ ଲିକ୍‌’ ରୂପେ ଜଣାଶୁଣା ଆର୍ଥିକ ରେକର୍ଡ ଅପ୍ରତ୍ୟାଶିତ ଭାବେ ‘ଲିକ୍‌’ ହୋଇଯିବାରୁ ଏସିଆ ଏବଂ ମଧ୍ୟ ପ୍ରାଚ୍ୟରୁ ଆରମ୍ଭ କରି ଲାଟିନ୍‌ ଆମେରିକା ପର୍ଯ୍ୟନ୍ତ ବହୁ ସାମ୍ପ୍ରତିକ ଏବଂ ପୂର୍ବତନ ବିଶ୍ୱ ନେତୃବୃନ୍ଦଙ୍କର ବିଦେଶରେ ଥିବା ସମ୍ପତ୍ତି ତଥ୍ୟାବଳୀ ପ୍ରଘଟ ହୋଇଯାଇଛି। ‘ଦି ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଷ୍ଟୋରିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟ୍‍ସ୍‌’ ୧୪ଟି ପୃଥକ୍‌ ଆଇନଗତ ଏବଂ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନିରୁ ପାଇଥିବା ୧୧.୯ ନିୟୁତ ଗୁପ୍ତ ଦଲିଲ୍‌ ଉପରୋକ୍ତ ତଥ୍ୟ ମିଳିଛି। ବିଗତ ୨୫ ବର୍ଷ ହେଲା ବିଶ୍ୱର ଅନେକ ନେତା, ରାଜନେତା, କୋଟିପତି, ସେଲିବ୍ରିଟି, ଧାର୍ମିକ ନେତା ଏବଂ ଡ୍ରଗ୍‌ ଡିଲର୍ସମାନେ ‘ମାନିସନ୍‌ସ୍‌’, ‘ଏକ୍ସକ୍ଲୁସିଭ୍‌ ବିଚ୍‌ଫ୍ରଣ୍ଟ୍‌ ପ୍ରପର୍ଟି’, ‘ୟଟ୍‌’ ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ କରିଥିବା ଅର୍ଥ ସମ୍ବନ୍ଧୀୟ ତଥ୍ୟାବଳୀ ଗୁପ୍ତ ରଖିଥିବା କଥା ଉପରୋକ୍ତ ଦଲିଲରୁ ଜଣାପଡ଼ିଛି।

ତେବେ ପାଣ୍ଡୋରା ପେପର୍ସ ଲିକ ହେବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ତାଲିକାରେ ପାକିସ୍ତାନର ୭୦୦ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଏଥିମଧ୍ୟରେ ଇମରାନ ସରକାରର ଅର୍ଥମନ୍ତ୍ରୀ ଶୌକତ ତାରିନ, ଜଳ ସମ୍ପଦ ମନ୍ତ୍ରୀ ମୁନିସ ଇଲାହି, ସାଂସଦ ଫୈସଲ ବାୱଡା, ଶିଳ୍ପ ଓ ଉତ୍ପାଦନ ମନ୍ତ୍ରୀ ଖୁସ୍ରୋ ବଖତିୟାରଙ୍କ ପରିବାର ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କିଛି ନିକଟତର, ବିରୋଧୀ ଦଳର ନେତା ତଥା ବହୁ ସେନା ଅଧିକାରୀଙ୍କ ନାମ ମଧ୍ୟ ରହିଛି ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ଯେଉଁମାନଙ୍କ ନାମ ନୂଆ ତାଲିକାରେ ଆସିଛି, ସେମାନଙ୍କୁ ଯାଞ୍ଚ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି । ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆମେ ପାଣ୍ଡୋରା ପେପର୍ସକୁ ସ୍ୱାଗତ କରୁଛୁ… ଯାହା ଧନୀଲୋକମାନଙ୍କର ଅବୈଧ ସମ୍ପତ୍ତିର ଖୁଲାସା କରିଛି । ଟ୍ୟାକ୍ସ ଫାଙ୍କିବା ଏବଂ ଦୁର୍ନୀତି କରି ଟଙ୍କା ଜମା କରଛନ୍ତି । ଜାତିସଂଘର ମହାସଚିବ FACTI ଆନୁମାନିକ ୭ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ଆକଳନ କରିଛନ୍ତି ଯାହା ଚୋରି ହୋଇ ବିଦେଶକୁ ପଠାଯାଇଛି ।

ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ଉପରେ ଆକ୍ରମଣ କରିଛନ୍ତି । ପାଣ୍ଡୋରା ପେପର୍ସ ପ୍ରକାଶ ପାଇବା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ, ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ଗଣମାଧ୍ୟମ ସମ୍ମିଳନୀରେ ପିଏମଏଲ-ଏନ ସଚିବ ଏହସାନ ଇକବାଲ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଇମ୍ରାନ ଖାନ ବର୍ତ୍ତମାନ ଇସ୍ତଫା ଦିଅନ୍ତୁ। ତୋଶାନା ମାମଲାରେ ତାଙ୍କ ନାମ ଆସିଥିଲା। ପାଣ୍ଡୋରା ପେପର୍ସରେ ତାଙ୍କ ନାମ ଆସିବାର ଏକ ସମ୍ଭାବନା ମଧ୍ୟ ଅଛି । ଏହି ପେପରରେ ପାକିସ୍ତାନର ବହୁ ମନ୍ତ୍ରୀଙ୍କ ନାମ ଦେଖାଯିବା ପରେ ଇମ୍ରାନଙ୍କର ଆଉ ଏହି ପଦରେ ରହିବାର ନୈତିକ କାରଣ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାଞ୍ଚ ବର୍ଷ ପୂର୍ବେ ପାନାମା ପେପର ଲିକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା। ଏହା ବ୍ୟତୀତ ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ଦେଖାଦେଇଛି । ପାକିସ୍ତାନର ଲେଜେଣ୍ଡାରୀ କ୍ରିକେଟର ଇମ୍ରାନ ଖାନ ନୱାଜ ସରିଫଙ୍କ ବିଫଳତାକୁ ଟାର୍ଗେଟ କରି କ୍ଷମତା ହାସଲ କରିଥିଲେ ଏବଂ ସେ ଏକ ନୂଆ ପାକିସ୍ତାନ ସୃଷ୍ଟି କରିବାର ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ବର୍ତ୍ତମାନ ପାଣ୍ଡୋରା ପେପର ଲିକ୍ ଇମ୍ରାନ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରୀ ବଢ଼ିଯାଇଛି ।

Leave a Reply