ଆମେରିକା ବାୟୁସେନାର ସେଇ ‘ଓଭର ଲୋଡେଡ୍’ ବିମାନର କାହାଣୀ, ଯାହା ୬୪୦ ଜଣ ଆଫଗାନୀଙ୍କୁ ଦେଇଛି ମୁକ୍ତିର ଆଶା

1 min read

କାବୁଲ: ରବିବାର ଦୁନିଆ ଏମିତି କିଛି ଦୃଷ୍ୟ ଦେଖିଥିଲା ଯାହା ଅନେକ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଅଲିଭା ଦାଗ ହୋଇ ରହିବ। ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ବିମାନ ଆକ୍ରମଣର ଦୃଷ୍ୟ ଭଳି କାବୁଲ ଏୟାରପୋର୍ଟର ଦୁଇଟି ଦୃଷ୍ୟ ସବୁଦିନ ପାଇଁ ମନରେ ଅଲିଭା ହୋଇ ରହିଯିବ। ଗୋଟିଏ ଥିଲା ଏୟାରପୋର୍ଟ, ବସଷ୍ଟାଣ୍ଡର ଭ୍ରମ ସୃଷ୍ଟି କରିଥିଲା। ଦ୍ୱିତୀୟଟିରେ ଆକାଶରୁ ଖସି ପଡୁଥିଲେ ଦୁଇ ଜଣ ବ୍ୟକ୍ତି। ତାଲିବାନୀ ହିଂସା ଆଶଙ୍କାରେ ଭୟଭୀତ ଆଫଗାନୀ ଯେକୌଣସି ମତେ ନିଜ ଦେଶ ଛାଡିବାକୁ ଉଦ୍ୟମ କରିଥିଲେ। ଦୁଇ ଜଣ ବ୍ୟକ୍ତି ବିମାନ ଡେଣାକୁ ଯାବୁଡି ତାଲିବାନ ପଞ୍ଝାରୁ ଦୁରକୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ମଝି ଆକାଶରେ ସେମାନଙ୍କୁ ମିଳିଥିଲା ମୁକ୍ତି ବଦଳରେ ମୃତ୍ୟୁ। ଏହି ଦୃଷ୍ୟ ପାଇଁ ଆମେରିକାକୁ ଚାରିପଟୁ ସମାଲୋଚନାର ଶୀକାର ହେବାକୁ ପଡିଛି।

ଏବେ କିନ୍ତୁ ଏମିତି ଗୋଟିଏ ଖବର ଆସିଛି ଯାହା ଆମେରିକାର ଭାବମୂର୍ତ୍ତିରେ ଲାଗିଥିବା ଦାଗକୁ ଟିକିଏ ସଫା କରିବ। ରବିବାର ଦିନ ଯେଉଁ ଆମେରିକୀୟ ସେନା ବିମାନ ଭିତରକୁ ପ୍ରାଣ ବିକଳରେ ପ୍ରବେଶ କରିବା ପାଇଁ ଆଫଗାନୀ ନାଗରିକ ଉଦ୍ୟମ କରୁଥିଲେ ସେହି ବିମାନ କିଛିଙ୍କ ପାଇଁ ମୁକ୍ତିର ଉଡାଣ ସାଜିଛି। କିଛି ଭାଗ୍ୟବାନ ତାଲିବାନ କବଳରୁ ମୁକ୍ତ ହେବାରେ ସଫଳ ହୋଇଛନ୍ତି।

ରବିବାର କାବୁଲ ଏୟାରପୋର୍ଟ ଭିତରକୁ ଏମିତି ଅନେକ ଲୋକ ଧସେଇ ପସିଥିଲେ ଯେଉଁମାନଙ୍କ ପାଖରେ ଟିକେଟ୍ ନଥିଲା କି ଭିଜା। ବାସ ସେମାନେ ନିଜ ଦେଶ ଛାଡି ଯିବାକୁ ଚାହୁଁଥିଲେ। ତାଲିବାନର ଆତଙ୍କ ସେମାନଙ୍କୁ ଏତେ ଡରାଇଥିଲା ଯେ, ଗୋଟିଏ ଆମେରିକୀୟ ଯୁଦ୍ଧ ବିମାନ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଏମିତି ଉଦ୍ୟମ କରିବା ଛଡା ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। କାରଣ ଦେଶରେ ରହିଲେ ତାଲିବାନର ପ୍ରତିଶୋଧର ଶିକାର ହେବାକୁ ପଡିବ। ଅନେକ ବ୍ୟକ୍ତି ବିମାନର ଲ୍ୟାଣ୍ଡିଂ ଗିୟର ଉପରେ ବସି ରହିଥିଲେ। କିଏ ଡେଣା ଉପରେ ଚଢି ଯାଇଥିଲା। ଲୋକ ପ୍ଲେନ୍ ସହିତ ଦୌଡିବାକୁ ଲାଗିଥିଲେ। ଯେମିତି ସାଧାରଣତଃ ବସ ଧରିବାକୁ ଲୋକ ଦୌଡନ୍ତି। ଦୁଇ ଜଣ ଲୋକ ଜାହଜର ଚକ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ।

ଆମେରିକା ବାୟୁସେନାର ସି-୧୭ ମାଲବାହୀ ବିମାନରେ ୧୫୦ ସୈନିକ ଯାତ୍ରା କରିପାରିବେ। କିନ୍ତୁ ଲୋକ ଜୋରଜବରଦସ୍ତ ଏହା ଭିତରକୁ ପ୍ରବେଶ କରିଥିଲେ। RCH 871 ନମ୍ବରର ଏହି କାର୍ଗୋ ବିମାନର ପାଇଲଟ ଶେଷକୁ ସେହି ଯାତ୍ରୀଙ୍କ ସହିତ ଉଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ପାଇଲଟଙ୍କୁ ଲାଗିଥିଲା ଜାହଜରେ ୮ଶହ ବ୍ୟକ୍ତି ଅଛନ୍ତି କିନ୍ତୁ ପରେ ଏହି ସଂଖ୍ୟା ୬୪୦ ବୋଲି ଜଣା ପଡିଥିଲା। ବିମାନ ରନୱେ ଉପରେ ଦୌଡିଥିଲା କିନ୍ତୁ ଲୋକ ତା’ ସହିତ ଦୌଡିବାକୁ ଲାଗିଥିଲେ। ଏମିତିରେ ବାୟୁସେନାକୁ ଆପାଚୀ ହେଲିକପ୍ଟର ମଗାଇବାକୁ ପଡିଥିଲା। ଏହି ହେଲିକପ୍ଟର କମ ଉଚ୍ଚତାର ଉଡ଼ି ରନୱେରୁ ଲୋକଙ୍କୁ ହଟାଇ ବିମାନ ପାଇଁ ରାସ୍ତା ତିଆରି କରିଥିଲା ।

କିନ୍ତୁ ସମସ୍ତେ ଭାଗ୍ୟବାନ ନଥିଲେ । ୬୪୦ ଜଣ ଯାତ୍ରୀ କତ୍ତାରରେ ଏବେ ପହଂଚିଛନ୍ତି । ସେମାନଙ୍କ ଜୀବନ ବଂଚିଯାଇଛି । କିନ୍ତୁ ମୁକ୍ତିର ସେହି ଉଡାଣ ଦୁଇ ଜଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବିମାନ ଭିତରକୁ ପ୍ରବେଶ କରି ପାରିନଥିବା ଦୁଇ ଜଣ ବ୍ୟକ୍ତି ଡେଣାକୁ ଯାବୁଡି ଧରି ଆତଙ୍କଠାରୁ ଦୁରକୁ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମଝି ଆକାଶରେ ତଳକୁ ଖସି ପଡ଼ିଥିଲା। ମୁକ୍ତି ବଦଳରେ ସେମାନଙ୍କୁ ମିଳିଥିଲା ମୃତ୍ୟୁ ।

ଆଫଗାନିସ୍ତାନକୁ ମଝି ନଇରେ ଛାଡି ଆମେରିକା ପଳାୟନ କରିଛି ବୋଲି ଅଭିଯୋଗ ଭିତରେ ଏହି ଚିତ୍ର ଆମେରିକାର ଭାବମୂର୍ତ୍ତିକୁ କିଛିଟା ବଂଚାଇ ପାରେ କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବେ ସିଧା ସିଧା କହି ଦେଇଛନ୍ତି ଆମେ ଆର୍ଥିକ,ସାମରିକ ସାହାଯ୍ୟ କରିପାରିବୁ କିନ୍ତୁ ଲଢିବାର ଇଛଶକ୍ତି ଦେଇ ପାରିବୁନି । ହୁଏତ ବାଇଡେନ୍ ସତ କହୁଛନ୍ତି.. କାରଣ ତାଲିବାନ ବି ଆଫାଗନିସ୍ତାନ ମାଟିରୁ ଜନ୍ମ ନେଇଛି । ତା’ର ପ୍ରତିରୋଧ ମଧ୍ୟ ସେଇ ମାଟିରୁ ଜନ୍ମ ନେବା କଥା ।

Leave a Reply