କଟକ ଯାଇ ହକି ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କଲେ ଫାଇଭ ଟି ସଚିବ

1 min read

କଟକ: ଆଉ ଦିନକ ପରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ । କଟକ ଯାଇ ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବାରବାଟୀ ଷ୍ଟାଡିୟମ ଯାଇ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି । 5T ସଚିବଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ବାରବାଟୀ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଅନୁଧ୍ୟାନ ସମୟରେ ସିଏମସି ମେୟର, କମିଶନର, ଜିଲ୍ଲାପାଳ, ଓସିଏ ସମ୍ପାଦକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକିଥିବା କାମ ଖୁବଶୀଘ୍ର ଶେଷ କରାଯିବ । ବୁଧବାର ଅପରାହ୍ନରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହି ସମୟରେ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ । ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଜଣ ଅଧିକାରୀ ଓ ତିନି ଜଣ ଡିସିପି ମୁତୟନ ହେବେ । ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସନ୍ଧ୍ୟା ୬ଟାରେ ଯୋଗଦେବାନେଇ ସୂଚନା ରହିଛି । ବଲିଉଡ ଓ ଓଲିଓଡ ତାରକାଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ । ମେଗା ଇଭେଣ୍ଟ ପାଇଁ ଓସିଏ ସମସ୍ତ ସହଯୋଗ ଯୋଗାଇ ଦେଉଛି ।