spot_img

Latest Posts

ବିକାଶ କାହିଁ? ୪ ଗୋଟି ନଳକୂପ ଥାଇ ବି ଶୋଷିଲା ରୁଣ୍ଡିସାହି ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ:  ରାଜ୍ୟ ସରକାର ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ବଡ଼ ବଡ଼ ଦାବି କରୁଥିବା ବେଳେ, କନ୍ଧମାଳ ଜିଲ୍ଲାରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ପାଣି ମୁନ୍ଦାଏ ପାଇଁ ଏଠାରେ ଲୋକେ ଛଟପଟ ହେଉଛନ୍ତି। ପ୍ରଶାସନର ଉଦାସୀନତା ପ୍ରତିବାଦରେ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ଓ ଗ୍ରାମବାସୀ।

କନ୍ଧମାଳ ଚକାପାଦ ବ୍ଲକ ଖୁତୁତେନ୍ତୁଳି ଗ୍ରାମ ରୁଣ୍ଡିସାହିରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଛି। ବାରମ୍ବାର ଗୁହାରି ପରେ ବି କେହି ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶଙ୍କରାଖୋଲରୁ ଖଜୁରୀପଡା ଯିବା ମୁଖ୍ୟ ରାସ୍ତା ଉପରେ ହାଣ୍ଡି, ମାଠିଆ ଓ ଗାଗର ରଖି ସେମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଫଳରେ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାହିରେ ଲୋକଙ୍କ ବ୍ୟବହାର ପାଇଁ ୪ ଗୋଟି ନଳକୂପ ଅଛି। ହେଲେ ଦୁର୍ଭାଗ୍ୟର ବିଷୟ, ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅଚଳ ହୋଇପଡ଼ିଛି। ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଆସିନଥିଲା। ତେବେ ପ୍ରଶାସନର ଏହି “ଫଳ ଶୂନ” କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା।

ରାମବାସୀଙ୍କ ଚେତାବନୀ:  ଯଦି ତୁରନ୍ତ ନଳକୂପ ମରାମତି କରାଯାଇ ପାନୀୟ ଜଳର ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।

ତେବେ ମୁଖ୍ୟ ରାସ୍ତା ଜାମ୍ ହେବା ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନିକ ପ୍ରତିଶ୍ରୁତି ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।

Latest Posts

Don't Miss