ଆମେରିକା ଏୟାରବେସରେ ଫସିଛନ୍ତି ୨୦୦୦ ଗର୍ଭବତୀ, ଚିକିତ୍ସା ଓ ଖାଦ୍ୟପେୟ ଅଭାବରୁ ଭୋଗୁଛନ୍ତି ଦୁର୍ଦ୍ଦଶା

କାବୁଲ: ଜର୍ମାନୀର ରାମଷ୍ଟେନସ୍ଥିତ ଆମେରିକା ଏୟାରବେସରେ ଫସିଛନ୍ତି ୨ ହଜାର ଗର୍ଭବତୀ । ଏହି ଏୟାରବେସରେ ୧୦ ହଜାର ଆଫଗାନ ଶରଣାର୍ଥୀ ରହିଥିବାବେଳେ ସେମାନେ ଚିକିତ୍ସା, ଖାଦ୍ୟପେୟ ଅଭାବରୁ ଅକଥନୀୟ ଦୁର୍ଦ୍ଦଶାରେ ସଢୁଛନ୍ତି । ଦିନକୁଦିନ ତାପମାତ୍ରା ହ୍ରାସ ପାଉଥିବାବେଳେ ସେମାନଙ୍କ ନିକଟରେ ସହାୟତା ପହଞ୍ଚିପାରୁନଥିବାରୁ ସମସ୍ୟା ଦୁର୍ବିସହ ହୋଇଛି । ଜର୍ମାନୀର ବିଭିନ୍ନ ଶରଣାର୍ଥୀ ଶିବିରରେ ୫୩ ହଜାରରୁ ଅଧିକ ଆଫଗାନ ଫସିଥିବାବେଳେ ରାମଷ୍ଟେନ ଏୟାରବେସରେ ସବୁଠାରୁ ଅଧିକ ଦୟନୀୟ ସ୍ଥିତି ପରିଲକ୍ଷିତ ହୋଇଛି । ଜର୍ମାନୀ ପକ୍ଷରୁ ଏହି ଶରଣାର୍ଥୀଙ୍କୁ ଦୃଷ୍ଟି ଦିଆଯାଉ ନଥିବାବେଳେ ପ୍ରାୟ ଏକମାସ ଧରି ସେମାନେ ଅକଥନୀୟ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି । ନାନା ପ୍ରକାର ରୋଗରେ ମଧ୍ୟ ସେମାନେ ପଡିଲେଣି ।

ସେପଟେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିବା ଲାଗି ତାଲିବାନ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛି । କାବୁଲ ବିମାନ ବନ୍ଦରରେ ଥିବା ସମସ୍ୟା ଦୂର ହୋଇଛି ବୋଲି କହିଛି ତାଲିବାନ । ଆନ୍ତର୍ଜାତିକ ସହାୟତା ବିନା ଦେଶର ସମସ୍ୟା ଘନୀଭୂତ ହେଉଥିବାବେଳେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ଯୋଗୁ ହଜାର ହଜାର ଲୋକ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି । ଆମେରିକାର ପ୍ରତ୍ୟାବର୍ତ୍ତନ ପରେ କାବୁଲ ବିମାନବନ୍ଦର ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ନଷ୍ଟ ହୋଇଥିଲା । ତାହାକୁ ଏବେ ସଜଡା ଯାଇପାରିଛି ବୋଲି କହିଛି ତାଲିବାନ । ସେପଟେ ଗମ୍ଭୀର ହେଲାଣି ଆଫଗାନସ୍ଥିତି । ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆକାଶଛୁଆଁ ଦରବୃଦ୍ଧି, ଜୀବିକାର୍ଜନର ମାର୍ଗ ବନ୍ଦ, ତୈଳଦର ବୃଦ୍ଧି ଆଦି କାରଣରୁ ଲୋକମାନେ ହାହାକାର ଅବସ୍ଥାରେ କାଳ କାଟୁଛନ୍ତି ।

ପାକିସ୍ତାନ ଓ ଇରାନରୁ ଖାଦ୍ୟ ପଦାର୍ଥ ଆମଦାନୀ ହେଉଥିବାବେଳେ ତେଲ ଦର ବୃଦ୍ଧି ଯୋଗୁ ସବୁ ଜିନିଷର ଦରଦାମ ଦୁଇଗୁଣା ହୋଇଯାଇଛି । ମେଡିସିନ, ଫଳମୂଳ, ରାସନ ସାମଗ୍ରୀକୁ କିଣିବା ସମ୍ଭବ ହୋଇପାରୁନାହିଁ । ଯାହା କିଛି ଥିଲା ସେସବୁ ବିକିଭାଙ୍ଗି ଦେଇଥିବାବେଳେ ଏବେ ଲୋକଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଯେଉଁମାନେ ଛୋଟ ଛୋଟ ଗାଡି ଜରିଆରେ ଆୟ କରୁଥିଲେ ସେମାନଙ୍କ ଗାଡି ବି ଆଉ ଚାଲୁନାହିଁ । ଏପରି ଘନଘଟା ଭିତରେ ତାଲିବାନର ଅମାନୁଷିକ ନୀତି ସ୍ଥିତିକୁ ଅଧିକ ଘନୀଭୂତ କରିଛି ।

Leave a Reply