ସିଲଭର ସିଟିରେ ସୁବାସ କ୍ରେଜ୍, ବିଜେଡିକୁ ୨୦ ଛାମୁଆ ସଂଗଠନର ସମର୍ଥନ

କଟକ: ସମୟ ପାଖଉଛି, ପୌର ତାତି ବଢୁଛି  । ବସ୍ତି ଠାରୁ ବଡ଼ ମାର୍କେଟ ସବୁଠି ନେତାଙ୍କ ନଜର  । କଟକ ମହାନଗର ନିଗମରେ ମଧ୍ୟ ଏହାର ପ୍ରଭାବ ବେଶ ଦେଖିବାକୁ ମିଳିଛି  । ବିଜେଡି ଦିନକୁ ଦିନ କଟକରେ ଶକ୍ତିଶାଳୀ ହେବାକୁ ଲାଗିଛି  । ମେୟର ପ୍ରାର୍ଥୀ ସୁବାସ ସିଂଙ୍କୁ ମିଳିଛି ବଡ଼ ସମର୍ଥନ  । ଅର୍ଥାତ କଟକ ସହରର ୨୦ରୁ ଅଧିକ ଛାମୁଆ ସଂଗଠନର ସଦସ୍ୟ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରକାଶ କରିଛନ୍ତି  ।

କଟକ ମ୍ୟୁନିସପାଲଟିକୁ ହାତେଇବା ପାଇଁ ତୃଣମୂଳ ସ୍ତରରେ ଲଢେଇ ଜାରି ରଖିଛି ବିଜେଡି  । ବସ୍ତି ବସ୍ତିରେ ଓଡ଼ିଶା ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ପହଁଚାଇବାର ପାଇଁ ପ୍ରୟାସ ଜାରି ରଖିଛି ଦଳ  । କଟକ ମହାନଗର ନିଗମ ମେୟରଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଦଳର ଅନେକ ଛାମୁଆ ନେତା କସରତ ଜାରି ରଖିଛନ୍ତି । ବିପକ୍ଷରେ ବିଜେପି ତରଫରୁ ଅଭିନେତା ଶ୍ରୀତମ ଦାସ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା  ।

ଏପଟେ ରାଜ୍ୟସଭା ସାସଂଦରୁ ମେୟର ପାଇଁ ପ୍ରାର୍ଥୀ ହୋଇଥିବା ସୁବାସ ସିଂ ମଇଦାନରେ ଜୋରଦାର ଲଢେଇ ଜାରି ରଖିଛନ୍ତି  । ଲୋକଙ୍କ ବିପୁଳ ସମର୍ଥନ ମଧ୍ୟ ହାସଲ କରୁଛନ୍ତି  । ଗଳି କନ୍ଦିରେ ସୁବାସଙ୍କ ପ୍ରତି ଥିବା ଜନସମର୍ଥନ ସ୍ପଷ୍ଟ ବାରି ହୋଇପଡୁଛି  । ତେବେ ୨୪ରେ ପୌର ଭୋଟ ପଡିବାକୁ ଥିବେବେଳେ ଆଜି ଅର୍ଥାତ ରବିବାର ବିଜେଡି ହାତେଇଛି ବଡ଼ ସମର୍ଥନ  । ଅନେକ ବଡ଼ ବଡ଼ ସଂଗଠନ ବିଜେଡି ପ୍ରାର୍ଥୀ ସୁବାସ ସିଂଙ୍କୁ ସମର୍ଥନ କରିଛନ୍ତି  । ସୁବାସଙ୍କ ନେତୃତ୍ୱରେ କଟକର ଉନ୍ନତି ହେବାନେଇ ଆଶା ପ୍ରକାଶ କରିଛନ୍ତି  ।