୧୯୭୧ରେ ନିଖୋଜ ହୋଇଥିଲେ ମଙ୍ଗଲ ସିଂ, ୪୯ ବର୍ଷ ପରେ ମିଳିଲା ଜୀବିତ ଥିବାର ଖବର

1 min read

ଅମୃତସର: ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଅନେକ ଯବାନ ପ୍ରାଣବଳୀ ଦେଇଥିଲେ । ସେହି ସହିଦ ଯବାନଙ୍କୁ ମନେ ପକାଉଛି ଦେଶ ଏବଂ ଆଜିବି ସେମାନଙ୍କୁ ଝୁରି ହେଉଛନ୍ତି ପରିବାର ବର୍ଗ ।

ଠିକ୍ ସେହିପରି ଭାବରେ ୧୯୭୧ ଯୁଦ୍ଧରେ ସ୍ୱାମୀଙ୍କୁ ହରାଇଥିଲେ ଜଳନ୍ଧର ସ୍ଥିତ ଦାତାର ନଗରର ୭୫ ବର୍ଷୀୟା ସତ୍ୟା ଦେବୀ । ଏପରିକି ସ୍ୱାମୀଙ୍କ ସମ୍ପର୍କରେ କିଛି ଖୋଜଖବର ବି ପାଇନଥିଲେ । ହେଲେ ବେଦୈଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଚିଠି ତାଙ୍କ ମନରେ ପୁଣି ଏକ ନୂଆ ଆଶା ସଞ୍ଚାର କରିଛି ।

ଏହି ଯୁଦ୍ଧରେ ତାଙ୍କ ସ୍ୱାମୀ ମଙ୍ଗଲ ସିଂ ନିଖୋଜ ହୋଇଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ପାକିସ୍ତାନୀ ସେନା ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ମଙ୍ଗଲଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା ବେଳେ ସତ୍ୟାଙ୍କ କୋଳରେ ଦୁଇ ପୁତ୍ର ସନ୍ତାନ ଥିଲେ।

ସେବେଠାରୁ ସ୍ୱାମୀଙ୍କ ଅପେକ୍ଷାରେ ଅନେକ ଦଶନ୍ଧି ବିତାଇ ଦେଇଛନ୍ତି ସତ୍ୟା ।

ସତ୍ୟାଙ୍କ ସ୍ୱାମୀ ମଙ୍ଗଲ ସିଂ ପାଖାପାଖି ୧୯୬୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ। ୧୯୭୧ରେ ଲାନ୍ସ ନାୟକ ମଙ୍ଗଲ ସିଂଙ୍କୁ ରାଞ୍ଚିରୁ କୋଲକାତା ଟ୍ରାନ୍ସଫର୍ କରାଯାଇଥିଲା, ଯାହା ପରେ ବାଂଲାଦେଶର ମୋର୍ଚ୍ଚାରେ  ତାଙ୍କର ଡ୍ୟୁଟି ପଡିଥିଲା । ହେଲେ କିଛି ଦିନ ପରେ ସେନା ପକ୍ଷରୁ ଏକ ଟେଲିଗ୍ରାମ ଆସିଥିଲା ଯେ ବାଂଲାଦେଶରେ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଯେଉଁଥିରେ ମଙ୍ଗଲ ସିଂଙ୍କ ସମେତ ସମସ୍ତ ଯବାନଙ୍କ ମୃତ୍ୟୁ ଘଟିଛି।

ହେଲେ ପରେ ସେ ଜୀବିତ ଥିବା ଜାଣିପାରିଥିଲେ । ଯାହା ପରେ ସତ୍ୟା ହାରନମାନି ସ୍ୱାମୀଙ୍କୁ ଫେରି ପାଇବା ଲାଗି ଭାରତ ସରକାରଙ୍କୁ ବହୁ ଚିଠି ଲେଖିଥିଲେ । ଯେଉଁଥିରେ ତାଙ୍କୁ ସୁଫଳ ମିଳିପାରିନଥିଲା । ହେଲେ ୪୯ ବର୍ଷ ପରେ ତଥା ଗତ ସପ୍ତାହରେ ରାଷ୍ଟ୍ରପତି ଏବଂ ବେଦୈଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟ ତରଫରୁ ମଙ୍ଗଲ ଜୀବିତ ଥିବା ନେଇ ଏକ ଚିଠି ସତ୍ୟାଙ୍କ ପାଖକୁ ଆସିଥିଲା ।

ବେଦୈଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍ଗଲ ସିଂଙ୍କୁ ପାକିସ୍ତାନର କୋଟ ଲଖପତ ଜେଲରେ ରଖାଯାଇଛି। ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରି ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଚେଷ୍ଟା କରାଯିବ।

ଏନେଇ ସତ୍ୟା କୁହନ୍ତି ଯେ ପିଲାମାନଙ୍କର ପ୍ରତିପୋଷଣ କରିବାରେ ତାଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ କରିବାକୁ ପଡିଥିଲା, ହେଲେ ସେ କେବେ ହାର ମାନିନଥିଲେ। ସେ ଓ ତାଙ୍କ ପିଲାମାନେ ମଙ୍ଗଲଙ୍କୁ ଦେଖିବା ଲାଗି ଅନେଇ ବସିଛନ୍ତି ।

ମଙ୍ଗଲ ସିଂଙ୍କ ପୁଅ ତଥା ଅବସରପ୍ରାପ୍ତ ସୈନ୍ୟ ଦଲଜିତ ସିଂ କହିଛନ୍ତି ଯେ ଗତ ୪୯ ବର୍ଷ ମଧ୍ୟରେ ଆମେ ମୋ ପିତାଙ୍କ ମୁକ୍ତି ପାଇଁ କଠିନ ଚେଷ୍ଟା କରିଥିଲୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନଥିଲା ।

Leave a Reply