କୁଆଖାଇ ନଦୀ: ୪ ବର୍ଷରେ ଗଲାଣି ୧୨୮ ଜୀବନ, ଦାୟୀ କିଏ ?

ଭୁବନେଶ୍ବର: ଅଭିଶାପ ପାଲଟିଛି କୁଆଖାଇ ନଦୀରେ ଗାଧୋଇବା । ଗାଧୋଇବାକୁ ଯାଇ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ଗତ ୪ ବର୍ଷରେ କୁଆଖାଇକୁ ଗାଧୋଇବାକୁ ଯାଇ ଆଉ ଫେରି ନାହାନ୍ତି ୧୨୮ ଲୋକ । ପାଣ୍ଡରାରୁ ବାଲିଅନ୍ତା ମଧ୍ୟରେ କୁଆଖାଇ ନଦୀରେ ଏମିତି ଜୀବନ ହାରିଛନ୍ତି ଏମାନେ । ଯାହା ରାଜଧାନୀବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ବେଆଇନ ବାଲି ଖନନକୁ କେହି କେହି ଦାୟୀ କରୁଥିବା ବେଳେ ଅସାବଧାନତା ଓ ପ୍ରଶାସନିକ ଉଦାସିନତାକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ ।

ଡେଥଜୋନ ପାଲଟିଛି କୁଆଖାଇ ନଦୀ । ବାଲିଘାଟ ମାଲିକଙ୍କ ଯୋଗୁଁ ଯାଉଛି ଜୀବନ । ୪ ବର୍ଷରେ ୧୨୮ ଜଣଙ୍କ ମୃତ୍ୟୁ । ଗତ ମେ’ ୨୭ ତାରିଖ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା । ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ, ଗତକାଲି ଅପରାହ୍ନରେ ପୁଣି ୪ ଜଣ ଛାତ୍ର ଏହି ନଦୀରେ ବୁଡ଼ି ଯାଇଛନ୍ତି । ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ ବୁଡି ଝାଡ଼ଖଣ୍ଡ ଜାମସେଦପୁରର ଆରିଆନ୍ ମିଶ୍ର, କଟକର କୁମାର ଅବିନାଶ, ବାଲେଶ୍ବରର ରୋହିତ ପରିଡ଼ା ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତଙ୍କ ମୃତ୍ୟୁ ଘଟିଛି ।

ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୯ ଜଣ ଛାତ୍ର ଭୋଜି କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକଙ୍କ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରିନ୍ସିପାଲ ।

ନଦୀ ପଠାରୁ ବେପରୁଆ ବାଲି ଖନନ ପାଇଁ ଶହ ଶହ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ କରିଛନ୍ତି ସ୍ଥାନିୟ ବାସିନ୍ଦା । ଜେସିବି ଯୋଗେ ବେଆଇନ ବାଲି ଖୋଳିବା ଦ୍ୱାରା କୃତ୍ରିମ ଗଣ୍ଡ ସୃଷ୍ଟି ହେଉଛି । ଯେତିକି ଜାଗା ବାଲିଘାଟ ପାଇଁ ନିଲାମ ହେଉଛି ତା’ଠାରୁ ଅଧିକ ଜାଗା ଖୋଳାଯାଉଛି । ଏନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ସତର୍କ କରାଇଛନ୍ତି ।

କେବଳ ଯେ ମଣିଷଙ୍କ ଜୀବନ ଯାଉଛି, ତାହା ନୁହେଁ, ଅନେକ ଗୋରୁ ଗାଈ, ପଶୁ ପକ୍ଷୀଙ୍କ ଗଣ୍ଡରେ ପଡି ନୀତିଦିନ ମୃତ୍ୟୁ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।