ମିଶନଶକ୍ତି ମାଆଙ୍କ ସଶକ୍ତିକରଣକୁ ସହ୍ୟ କରିପାରୁନାହାନ୍ତି ରାଜ୍ୟ ବିଜେପି ନେତା: ବିଜେଡି

ଭୁବନେଶ୍ବର: ମିଶନଶକ୍ତି ଦ୍ୱାରା ୭୦ ଲକ୍ଷ ମହିଳା ସଶକ୍ତିକରଣ ହୋଇ ପାରିଛନ୍ତି । ଏହି ସଫଳତା ବିଶ୍ୱ ଦରବାରରେ ଆଦୃତ ହୋଇଥିଲା ବେଳେ ବିଜେପିର ନେତା କିନ୍ତୁ ଏହି ସଫଳତାକୁ ସହ୍ୟ କରି ପାରୁନାହାନ୍ତି । ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ସମୟରେ ମିଶନଶକ୍ତି ମାଆମାନଙ୍କ ସମ୍ମାନହାନୀ ହେବା ଭଳି ମିଛ ଓ କଟୁ ମନ୍ତବ୍ୟ ଦେଉଛନ୍ତି । ମିଶନଶକ୍ତି ଜରିଆରେ ମହିଳାମାନେ କେତେ ସଶକ୍ତ ହୋଇଛନ୍ତି ତାହା ସାରା ବିଶ୍ବ ଦେଖୁଛି । ରାଜ୍ୟ ବିଜେପି ନେତାଙ୍କ ହୀନ ରାଜନୀତି ସେମାନଙ୍କ ମିଛ ଓ ଅସହିଷ୍ଣୁ ମନୋଭାବକୁ ଦର୍ଶାଉଛି । ଓଡ଼ିଶାର ମିଶନଶକ୍ତି ମାଆମାନେ ଆଜି ସ୍ୱାବଲମ୍ବୀ ହୋଇ ପରିବାର ଆର୍ଥିକ ସ୍ଥିତିକୁ ସ୍ଵଚ୍ଛଳ କରିପାରିଛନ୍ତି । ଏମିତି କହି ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ତମ୍ବୁନାଥ ପଣ୍ଡା ।

ଆଗକୁ ସେ କହିଛନ୍ତି, ‘ବିଜେପି ନେତା ଚାହୁଁଛନ୍ତି, ଓଡ଼ିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତୁ ଓ ଚୂଲି ମଣ୍ଡରୁ ବାହାରକୁ ବାହାରନ୍ତୁନି । ମିଶନଶକ୍ତିର ମାଆମାନେ ଲାଞ୍ଚ ଖାଉଛନ୍ତି ବୋଲି ବିଭିନ୍ନ ସମୟରେ ରାଜ୍ୟ ବିଜେପିର ନେତାମାନେ ଅଭିଯୋଗ କରିଆସିଛନ୍ତି । ଏହାସହ ମାଆଙ୍କୁ ଅପମାନିତ କରିବା ଭଳି କଟୁ ଶବ୍ଦ ପ୍ରୟୋଗ କରିଥାନ୍ତି । ଏଥିରୁ ସେମାନେ କିଛି ଲାଭ ପାଇବେ ନାହିଁ ।’

ଆଜି ମିଶନଶକ୍ତି ମାଆମାନେ ହସ୍ପିଟାଲଠାରୁ ଆରମ୍ଭ କରି ଧାନ ସଂଗ୍ରହ ଭଳି କାମ ସଫଳତାର ସହ କରିପାରୁଛନ୍ତି । କେବଳ ସେତିକି ନୁହେଁ, ମିଶନଶକ୍ତି ମାଆମାନେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି । ଓଡ଼ିଶା ବିଜେପି ନେତାମାନେ ମାଆମାନଙ୍କ ବିରୋଧରେ ଯେଉଁ ଷଡଯନ୍ତ୍ର କରୁଛନ୍ତି, ସେଥିରେ କେବେ ସଫଳ ହେବେନି । ମାଆମାନେ ରାଜ୍ୟ ବିଜେପିର ଏମିତି ହୀନ ରାଜନୀତିକୁ ବରଦାସ୍ତ କରିବେ ନାହିଁ ଓ ଏହାର ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।