କେଉଁଠୁ ଆସିଲା ଏହି ୧୨୧ ଫୁଟ୍‌ର ଲମ୍ବା ବିଲେଇ ? ବିଶେଷଜ୍ଞ କହିଲେ ୨୨ଶହ ବର୍ଷ ପୁରୁଣା

1 min read

ଲିମା: ପେରୁର ନାଜ୍‌କା ମରୁଭୂମିରେ ୧୨୧ ଫୁଟ୍‌ର ଲମ୍ବା ବିଲେଇ । ବିଲେଇଟି ଏକ ପାହାଡ଼ ଉପରେ ବସିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପାହାଡ଼ଟି ଗଛପତ୍ର ଓ ମାଟି ଆଢ଼ୁଆରେ ଥିବାରୁ ବିଲେଇଟି ଦେଖାଯାଉନଥିଲା । କିନ୍ତୁ ଏବେ ସେହି ଅଞ୍ଚଳକୁ ସଫଳ କରିବା ପରେ ବିଲେଇଟି ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ଦେଖାଯାଇଛି ।

ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏଭଳି ବିରଳ ଜିନିଷ ଦେଖିବାକୁ ମିଳିଛି । ଏବେ ଦେଖାଯାଇଥିବା ଏହି ବିଲେଇଟି ଜୀବନ୍ତ ନୁହେଁ କିନ୍ତୁ ଅବିକଳ ଜୀବନ୍ତ ବିଲେଇଟିଏ ବସିଥିବାର ଚିତ୍ର । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ଚିତ୍ରଟି ପ୍ରାୟ ୨୨୦୦ ବର୍ଷ ପୂର୍ବର । ପେରୁର ନାଜ୍‌କା ମରୁଭୂମିରେ ଥିବା ଏକ ପହାଡ଼ରେ ଏହି ୧୨୧ ଫୁଟ୍‌ ଉଚ୍ଚ ବିଲେଇର ଚିତ୍ର ଅଙ୍କାଯାଇଛି । ଯେଉଁ ଅଞ୍ଚଳରେ ଏହି ବିଲେଇର ଚିତ୍ର ଦେଖାଯାଇଛି ଏହାକୁ ରହସ୍ୟମୟୀ ମରୁଭୂମି ମଧ୍ୟ କୁହାଯାଏ । ଅତୀତରେ ମଧ୍ୟ ଏହି ଅଞ୍ଚଳରେ ପାହାଡ଼ରେ ଏଭଳି ବିଶାଳ ଚିତ୍ର ଦେଖିବାକୁ ମିଳିଛି । ଏହା ନଜ୍‌କା ସମ୍ପ୍ରଦାୟର ଇତିହାସ ବା ପରମ୍ପରା ବୋଲି ବିବେଚନା କରାଯାଇଥାଏ । ଆଲାସ୍କା ଠାରୁ ଆର୍ଜେଣ୍ଟିନାକୁ ଯାଉଥିବା ରାଜପଥ କଡ଼ରେ ଏକ ପାହାଡ ଉପରେ ଏଭଳି ଚିତ୍ର ଦେଖାଯାଇଥାଏ ।

୩୦୦ ରୁ ଅଧିକ ନୂଆ ଚିତ୍ର ଦେଖାଯାଇଛି:- 

ନାଜ୍‌କା ଲାଇନ୍‌ସରେ ଏବେ ସୁଦ୍ଧା ୩୦୦ରୁ ଅଧିକ ଭିନ୍ନ ଭିନ୍ନ ଆକୃତିର ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏହି ଚିତ୍ର ମାନଙ୍କ ମଧ୍ୟରେ ପଶୁ ଓ ଗ୍ରହ ନକ୍ଷେତ୍ର ମଧ୍ୟ ସାମିଲ ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ବିଲେଇର ଚିତ୍ର ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ, ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଗୁଡ଼ିକୁ ସଫା କରାଯାଉଥିଲା । ସେ ଆହୁରି କହିଛନ୍ତି ଯେ, ୨୨୦୦ ବର୍ଷ ପୂର୍ବେ ବିନା କୌଣସି ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଚିତ୍ର ଅଙ୍କା ଯାଇଛି । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହି ଚିତ୍ରଗୁଡିକ ବହୁ ପୂର୍ବରୁ ତିଆରି ହୋଇଥିବା ସତ ।

ଗୋଟେ ରେଖାଚିତ୍ର ପାଖରେ ପହଞ୍ଚିବା ପାଇଁ ରାସ୍ତା ସଫା କରାଯାଉଥିବା ବେଳେ ଏହି ଚିତ୍ର ଦେଖିବାକୁ ମିଳିଥିଲା । ତା’ପରେ ଆହୁରି ଅନେକ ଛୋଟ ମୋଟ ରେଖାଚିତ୍ର ଦେଖିବାକୁ ମିଳିଛି । ତେଣୁ ଏହା ମଧ୍ୟ ଆଶା କରାଯାଉଛି ଯେ, ଆଗାକୁ ନୂଆ ନୂଆ ଆଶ୍ଚର୍ଯ୍ୟ କଲା ଭଳି ଚିତ୍ର ସାମ୍ନାକୁ ଆସିପାରେ । ଏହି ସମସ୍ତ ଚିତ୍ରର ଫୋଟେ ଡ୍ରୋନ୍‌ କ୍ୟାମେରାରେ ଉତ୍ତୋଳନ କରାଯାଇଛି ।

ପେରୁ ସଂସ୍କୃତି ମନ୍ତ୍ରଣାଳୟ ଅନୁସାରେ, ଯେତେବେଳେ ବିଲେଇଙ୍କ ଚିତ୍ର ଖୋଜା ଯାଉଥିଲା, ସେତେବେଳେ ଏହି ଚିତ୍ର ଅସ୍ପଷ୍ଟ ଭାବେ ଦେଖାଯାଉଥିଲା । ପାହାଡ଼ଟି ଅଙ୍କାବଙ୍କା ଓ ଉଚ୍ଚନିଚ ଥିବାରୁ ବିଲେଇର ଅଧା ଚିତ୍ର ସ୍ପଷ୍ଟ ଜଣାପଡୁନଥିଲା । ପେରୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫା କରାଯିବା ପରେ ଏବେ ବିଲେଇର ଚିତ୍ରଟି ସ୍ପଷ୍ଟ ଜଣାପଡ଼ିଛି । ଏହି ଚିତ୍ରର ରେଖା ପ୍ରାୟ ୧୨ ରୁ ୧୫ ଇଞ୍ଚ ମୋଟା ବୋଲି ରିପାର୍ଟରୁ ଜଣାପଡ଼ିଛି ।

Leave a Reply