ଶତ୍ରୁର ଶତ୍ରୁ ମିତ୍ର : ବିହାର ରାଜନୀତିରେ ଏକାଠି ହୋଇ ପାରନ୍ତି ଲାଲୁ-ରାମବିଳାସ ତନୟ !

1 min read

ପାଟନା: ରାଜନୀତିରେ କେହି ଚିର ମିତ୍ର ନୁହଁନ୍ତି, ଅନୁରୂପ ଭାବେ କେହି ଚିର ଶତ୍ରୁ ମଧ୍ୟ ନୁହଁନ୍ତି । ପ୍ରତିଟି ନିର୍ବାଚନରେ ଉପରୋକ୍ତ ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇ ଆସୁଅଛି । ବିହାର ନିର୍ବାଚନ ଚାଲୁଥିବାର ଏପରି କିଛି ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି । ୨୦୦୫ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଭୟ ଆରଜେଡି ଏବଂ ଜେଡିୟୁ ସରକାର ଗଢିବାକୁ ଦେଇ ନ ଥିଲା ଏଲଜେପି । ଖାସ୍ ଏଥିପାଇଁ ହିଁ ଏଲଜେପି ସଦାସର୍ବଦା ନୀତିଶ ନିଜଠାରୁ ଦୂରେଇ ରଖନ୍ତି । ଗତ ଲୋକସଭା ନିର୍ବାଚନକୁ ବାଦ୍ ଦେଲେ ଏଲଜେପି ସହ ସିଧାସଳଖ ଜେଡିୟୁ କଦାପି ନିର୍ବାଚନ ବୁଝାମଣା କରିନାହିଁ ।

ହେଲେ ଚଳିତ ବିହାର ନିର୍ବାଚନରେ ସ୍ଥିତି କିଛି ଅଲଗା ରହିଛି । ୧୫ ବର୍ଷର କ୍ଷମତା ପରେ ନୀତିଶଙ୍କ ଲୋକପ୍ରିୟତା କମିଛି । ଲାଲୁ ଯାଦବ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରରେ । ରାମବିଳାସ ପାଶୱାନ ଆରପାରିରେ । ଉଭୟଙ୍କ ପୁତ୍ର ତେଜସ୍ୱୀ ଓ ଚିରାଗ ବର୍ତ୍ତମାନ ରାଜନୀତିର ଚର୍ଚ୍ଚିତ ଚେହେରା ହୋଇ ଉଭା ହୋଇଛନ୍ତି । ନିର୍ବାଚନୀ ପୂର୍ବ ମେଣ୍ଟରେ ତେଜସ୍ୱୀ ମହାଗଠବନ୍ଧନର ଚେହେରା । ଚିରାଗ ଏକଟୁଆ ଲଢୁଥିବା ଏଲଜେପିର ସର୍ବୋଚ୍ଚ ନେତା । ଚିରାଗଙ୍କ ରାଜନୀତିରେ ବିଜେପି ପ୍ଲସ ହେଲେ ଜେଡିୟୁ ମାଇନସ । ଖୋଲାଖୋଲି ନୀତିଶଙ୍କୁ ବିରୋଧ । ପରିସ୍ଥିତି ଏପରି ହେଉଛି ଯେ, ଭାଜପାର ବରିଷ୍ଠ ନେତାମାନଙ୍କୁ ବାରମ୍ବାର ସଫେଇ ଦେବାକୁ ପଡୁଛି । ଏମିତି ଅମିତ ଶାହଙ୍କୁ ମଧ୍ୟ ଏ ନେଇ ସ୍ପଷ୍ଟ କରିବାକୁ ପଡିଛି ।

ଏହି ସବୁ ରାଜନୈତିକ ଘଟଣାବଳୀ ମଧ୍ୟରେ ତେଜସ୍ୱୀଙ୍କ ଆଉ ଏକ ବୟାନ ଚର୍ଚ୍ଚାର କାରଣ ହୋଇଛି । ସୋମବାର ଏକ ରାଜନୈତିକ ସଭାରେ ତେଜସ୍ୱୀ କହିଥିଲେ ଯେ, ଚିରାଗ ଭାଇଙ୍କୁ ଏହି ସମୟରେ ତାଙ୍କ ପିତା ରାମବିଳାସ ପାଶୱାନଙ୍କ ଆବଶ୍ୟକତା ରହିଥିଲା । ହେଲେ ଦୁଃଖର ବିଷୟ ସେ ଆଉ ନାହାନ୍ତି । ଏହି ସମୟରେ ନୀତିଶ କୁମାରଙ୍କ ବ୍ୟବହାର ମଧ୍ୟ ଦୁଃଖଦାୟକ ବୋଲି ତେଜସ୍ୱୀ କହିଥିଲେ । ଏହି ମନ୍ତବ୍ୟରୁ ରାଜନୈତିକ ସମୀକ୍ଷକମାନେ ନୂଆ ସମୀକରଣର ଆଭାସ ବୋଲି ମତ ରଖିଲେଣି । ଏଲଜେପି ଏବଂ ଆରଜେଡି ମଧ୍ୟରେ କେତେକ ଆସନ ଓ ପ୍ରସଙ୍ଗରେ ଗୁପ୍ତ ବୁଝାମଣା ଥିବା କୁହାଯାଉଛି ।

ଏହି କଥାକୁ ପ୍ରମାଣିତ କରୁଛି ତେଜସ୍ୱୀ ଲଢୁଥିବା  ରାଧେପୁର ଆସନ ସମୀକରଣରୁ । ତେଜସ୍ୱୀ ଜଣେ ଯାଦବ, ବିଜେପି ମଧ୍ୟ ଜଣେ ଯାଦବଙ୍କୁ ପ୍ରାର୍ଥୀ କରିଛି ।ହେଲେ ଉଚ୍ଚଜାତି ଭୋଟପ ପାଥେୟ କରି ତେଜସ୍ୱୀଙ୍କୁ ମାତ ଦେବାକୁ ବିଜେପି ଚାହୁଁଛି । ହେଲେ ଏଲଜେପି ପକ୍ଷରୁ ଏହି ଆସନରେ ଜଣେ ଉଚ୍ଚଜାତି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଯାହା ପରୋକ୍ଷରେ ତେଜସ୍ୱୀଙ୍କୁ ସୁହାଇବ ।

ସେହିପରି ଆଗାମୀ ଦିନରେ ବିଧାନସଭା ଫଳାଫଳ ଯଦି ଝୁଲା ହୁଏ । ତେବେ ଚିରାଗ-ତେଜସ୍ୱୀ ଯୋଡି କମାଲ ନ କରିବେ, ସେ କଥା କିଏ କହିବ ବୋଲି ସମୀକ୍ଷକମାନେ ମତ   ଦେଇଛନ୍ତି । ତେଜସ୍ୱୀ ଏବଂ ଚିରାଗଙ୍କ ମଧ୍ୟରେ ଏକ ସମାନତା ହେଉଛି- ଉଭୟ ନୀତିଶ ବିରୋଧୀ । ତେଣୁ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଚିରାଗ-ତେଜସ୍ୱୀଙ୍କ ଏକାଠି ହେବାକୁ ଏଡ଼ାଇ ଦିଆଯାଇ ନ ପାରେ ।

 

Leave a Reply