୧୩ ମେଡିକାଲ୍ କଲେଜ ପାଇଁ ୧୦ ଆଇଏଏସଙ୍କୁ ସଂଯୋଜକ ଦାୟିତ୍ୱ

1 min read

ଭୁବନେଶ୍ୱର : ରାଜ୍ୟର ୧୩ଟି ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଦର୍ଶନ ଓ ଭିତ୍ତିଭୂମି ତଦାରଖ କାର୍ଯ୍ୟର ତର୍ଜମା ପାଇଁ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ହସ୍ପିଟାଲ ସଂଯୋଜକ ଦାୟିତ୍ୱ ମିଳିଛି । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ୨ଟି ହସ୍ପିଟାଲ ଦାୟିତ୍ୱ ଦିଆଯାଇଥିବା ବେଳେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ୨ଟି ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି । ସୁନ୍ଦରଗଡ଼ ମେଡିକାଲ୍ କଲେଜ ଓ ହସ୍ପିଟାଲ, ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଦାୟିତ୍ୱ ସୁରେଶ ମହାପାତ୍ରଙ୍କୁ ଦିଆଯାଇଥିବା ବେଳେ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁରର ଏମ.କେ.ସି.ଜି ମେଡିକାଲ କଲେଜ ଦାୟିତ୍ୱ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଦିଆଯାଇଛି ।

ସେହିପରି ଖଣି ଓ ଇସ୍ପାତ ବିଭାଗ ସଚିବ ରାଜକୁମାର ଶର୍ମା ରହିବେ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ । ଜୟପୁର ମେଡିକାଲ୍ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଜଂଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡ. ମୋନା ଶର୍ମା ରହିବେ । ଅନୁଗୁଳ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଶ୍ରମ ଓ ନିୟୋଜନ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ରହିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କନ୍ଧମାଳ ମେଡିକାଲ୍ କଲେଜ ଓ ହସ୍ପିଟାଲ ଏବଂ ବଲାଙ୍ଗିରର ସନ୍ଥ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ରହିବେ ।

କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ.କେ ମିନା, ମୟୁରଭଞ୍ଜ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଏବଂ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ପୂର୍ତ୍ତ ବିଭାଗର ସଚିବ ଡ. କ୍ରିଷନ୍ କୁମାର ରହିବେ ।

')}

Leave a Reply