୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ୨୨ ବର୍ଷ ଧରି ସ୍ବଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ସାଙ୍ଗକୁ ସ୍ଥିର ସରକାର । ଗାନ୍ଧିଜୀଙ୍କ ନୀତି ଆଦର୍ଶ ସହ ଗରିବ କଲ୍ୟାଣ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କୃଷି ଓ ପର୍ଯ୍ୟଟନ ସାଙ୍ଗକୁ ଗମନାଗମନ । ସଫଳତାର ସହ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା । ସବୁଥିରେ ଜିରୋ କାଜୁଆଲଟିକୁ ଗୁରୁତ୍ବ । କୋଭିଡ୍‌ ମହାମାରୀ ବେଳେ ଜୀବନ ରକ୍ଷା ସହ ଜୀବିକାକୁ ଗୁରୁତ୍ବ । କୋଭିଡ୍‌ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗାଇ ମହାମାରୀ ମୁକାବିଲା ପାଇଁ ବାଟ ଦେଖାଇବା ହେଉ ଅବା ବେକାରୀ ହ୍ରାସ, ସବୁଥିରେ ଓଡ଼ିଶା ଦେଶ ପାଇଁ ରୋଲ୍‌ ମଡେଲ୍‌ ସାଜିଛି । ଆଉ ୧୪ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ ।

୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ରାଜ୍ୟ ସରକାରଙ୍କ ଭିଜନ ଏବେ ଚର୍ଚ୍ଚାରେ । ବିକାଶ ପଥରେ ରାଜ୍ୟ ଯେପରି ଅଗ୍ରଗତି ହେଉଛି, ତାହା ୨୦୩୬ ଭିଜନକୁ ସଫଳ କରିବ ବୋଲି ବିଜେଡି କହିଛି । ନୂଆ ଓଡ଼ିଶା, ସଶକ୍ତ ଓ ସୁଖୀ ଓଡ଼ିଶା ଗଠନ ଲାଗି ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା, ଏସଏଚଜି ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା, କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହଯୋଗ, ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ଶିଳ୍ପାୟନ ସହ ବ୍ୟାପକ ନିଯକ୍ତି ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାରେ ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନକୁ ଲୋକଙ୍କ ନିକଟତର କରି ସାରା ଦେଶର ପ୍ରଶାସନ ବ୍ୟବସ୍ଥାକୁ ବାଟ ଦେଖାଇଛି ଓଡ଼ିଶା । ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ କଳା ସମୃଦ୍ଧ ହୋଇଛି । ରାଜ୍ୟ ସରକାରଙ୍କ ଅନେକ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ରାଜ୍ୟରେ ନୂଆଯୁଗ ଆରମ୍ଭ ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବିଦା କରାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶ ପାଇଁ ଏବେ ରୋଲ୍‌ ମଡେଲ୍‌ ହୋଇଛି । ଯାହାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସଂସଦରେ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଶଂସା କରିଛନ୍ତି ।