କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଚିଠି

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଛୁଇଁଥିବା ବେଳେ ଓଡ଼ିଶାରେ ୭ ହଜାର୍ ପାର୍ କରିଛି । ସହରରୁ ଗାଁ ମୁହାଁ ହୋଇଛି କରୋନା । ରାଜ୍ୟର ସମସ୍ତ ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଚିଠି ଲେଖି କେତକ ପରାମର୍ଶ ଦେଇଛନ୍ତି ।PCC President Writes letter to CM Naveen Patnaik କରୋନା ପ୍ରଭାବିତ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସମ୍ପୂର୍ଣ୍ଣ ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁ କରି କଣ୍ଟାକ୍ଟ ଟ୍ରେସିଂ ଓ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପାରିବ । ଯାହାଦ୍ୱାରା ସଂକ୍ରମଣର ଚେନକୁ ଭାଙ୍ଗି ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ, ରାଜ୍ୟରେ ଏଯାବତ୍ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ କହୁଥିବା ବେଳେ କଂଗ୍ରେସ ଚିଠିରେ ଗୋଷ୍ଠୀ ସଂକ୍ରମଣ କଥା ଉଲ୍ଲେଖ କରିଛି ।

ରାଜ୍ୟ କଂଗ୍ରେସର ନେତୃବୃନ୍ଦ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ପ୍ରଶଂସା କରୁଛନ୍ତି । ସଟଡାଉନ୍ ଓ ଲକଡାଉନ୍ ଫର୍ମୁଲାକୁ ସମର୍ଥନ କରିବା ପାଇଁ ନିବେଦନ କରୁଛନ୍ତି । ଅନ୍ୟପଟେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମାନ ନିଷ୍ପତ୍ତିକୁ ବାରମ୍ବାର ଭୁଲ୍ ପ୍ରମାଣିତ କରିବା ସହ ପ୍ରଶ୍ନ କରୁଛନ୍ତି । ଏଭଳି ସ୍ଥିତିରେ ଲକଡାଉନକୁ ରାଜ୍ୟ କଂଗ୍ରେସ ମୁଖିଆ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply