୨୭ ବର୍ଷ ବୟସରେ ଦୁନିୟା ଛାଡିଲେ ଏହି ଅଭିନେତା…

ମୁମ୍ବାଇ: ବଲିଉଡରେ ଛାଇଯାଇଛି ଦୁଃଖ । ପୂର୍ବରୁ ଋଷି ଓ ଇରଫାନଙ୍କ କ୍ୟାନସରରେ ମୃତ୍ୟୁ ହେବା ପରେ ଏବେ ଆଉ ଜଣେ କଳାକାର ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଋଷି କପୁର ଓ ଇରଫାନଙ୍କ ମୃତ୍ୟୁ ଗ୍ରହଣ କରିବା ବେଶ କଷ୍ଟକର ଥିଲା । ଦର୍ଶକ ବିଶ୍ୱାସ କରୁନଥିଲେ ଯେ, ସତରେ କଣ ଏମାନେ ଆମକୁ ଛାଡି ଚାଲିଗଲେ । କାରଣ ଉଭୟ ଅଭିନେତା ଫିଲ୍ମ ଜଗତରେ ନିଜର ଛାପ ଛାଡ଼ି ଯାଇଛନ୍ତି । ତେବେ ସେମାନଙ୍କ ଭଳି ପ୍ରତିଷ୍ଠିତ ନଥିଲେ ବି ଏବେ ବଲିଉଡ ଆଉ ଏକ ନିଆରା କଳାକାର ହରାଇଛି । ବଲିଉଡର ଯୁବ କମେଡି ଅଭିନେତା ମୋହିତ ବଘେଲ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି । ସମସ୍ତଙ୍କୁ ବିଦାୟ ଦେଇଛନ୍ତି ଏହି ହାସ୍ୟ କଳାକାର ।

ମୋହିତ ୨୭ ବର୍ଷ ବୟସରେ କ୍ୟାନସର ରୋଗରେ ପୀଡିତ ହୋଇଥିଲେ । ସେ ନିଜ ସହର ମଥୁରାରେ ଶେଷ ନିଶ୍ୱାସ ନେଇଥିଲେ । ଗତକାଲି ରାତିରେ ମୋହିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ତାଙ୍କ ଦେହାନ୍ତ ହୋଇଥିଲା । ସଲମାନ ଖାନଙ୍କ ଫିଲ୍ମ “ରେଡି”ରେ ମୋହିତ ବଘେଲ ଅମର ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଜୟ ହୋ ଫିଲ୍ମରେ ସଲମାନଙ୍କ ସହ କାମ କରିଥିଲେ। ମିଲନ୍ ଟକିଜ୍, ଜବରୀଆ ଯୋଡି ଏବଂ ଡ୍ରିମ୍ ଗାର୍ଲ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ ଏହି ଅଭିନେତା । କିଛି ଦିନ ପୂର୍ବରୁ ମୋହିତ ସୈଫ ଅଲି ଖାନ ଏବଂ ରାନୀ ମୁଖାର୍ଜୀଙ୍କ ଆଗାମୀ ଚଳଚ୍ଚିତ୍ର ବଣ୍ଟି ଔର ବାବଲି ୨ ର ସୁଟିଂ ଶେଷ କରିଥିଲେ ।

ମୋହିତଙ୍କ ବନ୍ଧୁ ତଥା ଅଭିନେତ୍ରୀ ବିବିଧା କିର୍ତ୍ତୀ ତାଙ୍କ ମୃତ୍ୟୁ ବିଷୟରେ ପୋଷ୍ଟ କରିଛନ୍ତି। ‘ମୋହିତ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ଏବଂ ବର୍ତ୍ତମାନ ସେ ଆମ ସହ ନାହାନ୍ତି ବୋଲି ଲେଖିଛନ୍ତି ବିବିଧା । ସେ ଇଣ୍ଡଷ୍ଟ୍ରିରେ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି ଅଭିନେତ୍ରୀ । ତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ‘ ବିବିଧା ଚାହାନ୍ତି ଯେ, ସେ ଯେଉଁଠି ବି ଅଛନ୍ତି ଭଲରେ ରୁହନ୍ତୁ ଓ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ମୋହିତଙ୍କ ଦେହାନ୍ତ ଖବର ଅନେକ ଲୋକଙ୍କ ପାଇଁ ଗ୍ରହଣ କରିବା କଷ୍ଟକର ହୋଇପଡିଛି । କିଛି ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ମୋହିତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ମୋହିତଙ୍କ ପାଇଁ ତାଙ୍କ ଭଲ ପାଇବା ସେମାନେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି ।

Leave a Reply