ଅମ୍ଫାନ କ୍ଷତି ଭରଣ ପାଇଁ କେନ୍ଦ୍ର ରିଲିଜ କଲା ୫ଶହ କୋଟି ଟଙ୍କା

ଭୁବନେଶ୍ୱର: ବାତ୍ୟା କ୍ଷତି ଭରଣା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫ ଶହ କୋଟି ଟଙ୍କାର ସହାୟତା ଆଜି କେନ୍ଦ୍ର ସରକାର ରିଲିଜ୍‌ କରିଛନ୍ତି । ୨୪ ଘଣ୍ଟା ନପୂରୁଣୁ ଟଙ୍କା ରିଲିଜ୍‌ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାତ୍ୟାଞ୍ଚଳ ପରିଦର୍ଶନ ପରେ ଭୁବନେଶ୍ୱରରେ ସ୍ଥିତିର ସମୀକ୍ଷା କରିଥିଲେ ଓ ଅଗ୍ରୀମ ଭାବେ ୫ଶହ କୋଟି ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ । କେନ୍ଦ୍ର ସରକାର ଆଜି ଏହି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଟିମ୍‌ର କ୍ଷୟକ୍ଷତି ଅନୁଧ୍ୟାନ ଓ ବିସ୍ତୃତ ରିପୋର୍ଟ ମିଳିବା ପରେ ଆବଶ୍ୟକ ଅନୁସାରେ ପ୍ୟାକେଜ୍‌ ମିଳିବ ବୋଲି କହିଥିଲେ ମୋଦି ।

ଉଲ୍ଲେଖନୀୟଯେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ଫାନ ବାତ୍ୟା ପରବର୍ତ୍ତି କ୍ଷୟକ୍ଷତି ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ । ଏହାପରେ ଓଡ଼ିଶାକୁ ବାତ୍ୟା ସହାୟତା ଭାବେ ୫ଶହ କୋଟି ଟଙ୍କା କେନ୍ଦ୍ର ଦେବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଘୋଷଣା କରିଥିଲେ । ଏହାସହ ସେ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ ।

Leave a Reply