ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ

ଭୁବନେଶ୍ୱର: କୋଭିଡ ଯୁଦ୍ଧ ସହ ସମାନ୍ତରାଳ ଭାବେ ଚାଲିଛି ଚାଷୀ ଓ ଚାଷର ବିକାଶ ଯୋଜନା । ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ଚଳିତ ଖରିଫରେ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିରୁ ୯୨ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ସମ୍ଭାବନା ରହିଛି । ତେବେ ତୃଣମୂଳ ସ୍ତରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସପ୍ତାହର ପ୍ରତି ସୋମବାର ପଞ୍ଚାୟତରେ ବୈଠକ କରିବେ କ୍ଷେତ୍ର ସ୍ତରୀୟ ସମ୍ପ୍ରସାରଣ ଅଧିକାରୀ । ସେହିପରି ବ୍ଲକ ସ୍ତରରେ ପ୍ରତି ପ୍ରଥମ ଓ ତୃତୀୟ ଶନିବାର ବୈଠକ ହେବ ।ଚାଷୀମାନେ ସେମାନଙ୍କ ସମସ୍ୟା ନେଇ ସିଧାସଳଖ କ୍ଷେତ୍ର ଅଧିକାରୀଙ୍କ ସହ କଥା ହୋଇପାରିବେ । ଜିଲ୍ଲା ସ୍ତରରେ ମଧ୍ୟ ରହିଛନ୍ତି ଜଣେ ଲେଖାଏଁ ନୋଡାଲ ଅଫିସର । ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ଚଳିତ ଖରିଫରେ ୫ ଲକ୍ଷ ଟନ ବିହନ ଯୋଜନାର ଟାର୍ଗେଟ ଥିବା ବେଳେ ୯ ଲକ୍ଷ ଟନ ସାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ୩୦ ଲକ୍ଷ ଚାଷୀଙ୍କୁ ଦିଆଯିବ ଫସଲ ବୀମା ଯୋଜନା । ସେଥି ମଧ୍ୟରେ ୯ ଲକ୍ଷ ଚାଷୀ ଅଣଋଣୀ ଚାଷୀ ବି ସାମିଲ ହୋଇଛନ୍ତି । ଏଥିସହିତ ଯୁବ ଚାଷୀମାନେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମଧ୍ୟ ସୁଫଳ ପାଇପାରିବେ ବୋଲି ସେ କହିଛନ୍ତି ।

Leave a Reply