ଆଇପିଏଲ୍ ସିଜିନ୍-୧୩ ବନ୍ଦ ହେଲେ କେତେ ହେବ କ୍ଷତି ?

ମୁମ୍ବାଇ : କରୋନା ଭୂତାଣୁକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ପ୍ରଭାବିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏ ମଧ୍ୟରେ ବିଶ୍ୱ ବଜାର ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଖସୁଛି ସେୟାର ବଜାର ଏବଂ ବିଦେଶୀ ନାଗରିକଙ୍କୁ ଭିସା ଦେବାକୁ ସରକାର ମନା କରିଛନ୍ତି । ଏଭଳି ସ୍ଥିତିରେ କ୍ରିକେଟ ପ୍ରେମୀ ଓ ଆଇପିଏଲ୍ ଆୟୋଜକଙ୍କର ଚିନ୍ତା ବଢ଼ିଛି । ଏଥର ଆଇପିଏଲ୍ ସିଜିନ୍ – ୧୩ ହେବ ନା ନାହିଁ । ଯଦିବା କର୍ଣ୍ଣାଟକ ଓ ମହାରାଷ୍ଟ୍ର ଏହାକୁ ନେଇ ଆପତ୍ତି ପ୍ରକାଶ କଲେଣି ତେବେ ବି ବିସିସିଆଇର ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

ଯଦି କରୋନାକୁ ଡରି ଏଥରର ଆଇପିଏଲ୍ ବୈଠକ ନହୁଏ ତେବେ କେତେ କ୍ଷତି ହେବ ? ଅନ୍ତର୍ଜାତୀୟ ସଂସ୍ଥା ଡଫ୍ ଓ ଫେଲପ୍ସର ରିପୋର୍ଟ ଅନୁସାରେ ୨୦୧୯ରେ ଆଇପିଏଲର ବ୍ରାଣ୍ଡ ଭେଲ୍ୟୁ ୪୭୫ ବିଲିୟନ୍ ବା ୪୭ ହଜାର ୫ ଶହ କୋଟିରେ ପହଞ୍ଚିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହା ସହିତ ଏତିକି ଅର୍ଥରାଶିର ସଂପୃକ୍ତି ରହିଥାଏ ।

ବିସିସିଆଇର ସୂଚନା ଅନୁସାରେ ୨୦୧୫ରେ ଭାରତୀୟ ଜିଡିପିରେ ଆଇପିଏଲ୍ ୧୧ ଶହ ୫୦ କୋଟି ଟଙ୍କା ଯୋଡ଼ିଥିଲା । ପ୍ରତି ମ୍ୟାଚରୁ ଗୋଟିଏ ଗୋଟିଏ ଫ୍ରାଞ୍ଚାଇଜି ୮ରୁ ୯ କୋଟି ଟଙ୍କା ପାଇଥାନ୍ତି । ସେହିପରି ମୋଟ୍ ପୁରସ୍କାର ରାଶି ୫୦ କୋଟି ଟଙ୍କା ରହିଛି । ବିଜେତା ଦଳ ୨୦ କୋଟି ପାଉଥିବା ବେଳେ ପ୍ରଥମ ରନରଅପ୍ ୧୨ କୋଟି ୫୦ ଲକ୍ଷ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଟିମ୍ ୭ କୋଟି ୭୫ ଲକ୍ଷ ଟଙ୍କା ଲେଖାଏଁ ପାଇଥାନ୍ତି ।

ଆଇପିଏଲ୍ ଖେଳ ସମୟରେ ୨ ମାସ ପାଇଁ ନନ୍ ପ୍ଲେୟର୍ସଙ୍କୁ ଚୁକ୍ତି କରାଯାଏ । ଖେଳାଳିମାନେ ବର୍ଷିକିଆ କଣ୍ଟ୍ରାକ୍ଟରେ ଆସିଥାନ୍ତି । ସେମାନଙ୍କ ସହିତ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଚୁକ୍ତି କରାଯାଏ । ଅକ୍ସନରେ ଆସିଥିବା ଭାରତୀୟ ଖେଳାଳିଙ୍କୁ ଟିମ୍ ପକ୍ଷରୁ ଟଙ୍କା ପ୍ରଦାନ କରାଯାଏ । ଅତି କମରେ ଜଣେ ଖେଳାଳି ୧୦ ଲକ୍ଷ ଟଙ୍କାରପୁ ହିଁ ଅଧିକ ପାଇବାକୁ ନିୟମ ରହିଛି । ତେବେ ଗୋଟିଏ ଟିମର ମୋଟ୍ ଖେଳାଳିଙ୍କ ଦରମା ବାବଦକୁ ଖର୍ଚ୍ଚ ୮୫ କୋଟି ଟଙ୍କା ଅତିକ୍ରମ ନକରିବାକୁ ନିୟମ ରହିଛି । ତେବେ ଖେଳ ସମୟରେ ହିଁ ଅଣ ଖେଳାଳିଙ୍କୁ ଦରମା ଦିଆଯାଇଥାଏ । ଏହା ବିସିସିଆଇ ପକ୍ଷରୁ ଆଇପିଏଲ୍ ଗଭର୍ଣ୍ଣିଂ ବଡି ପ୍ରଦାନ କରିଥାଏ । ୮ ସପ୍ତାହରେ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ଜଣ ପିଛା ଦରମା ଦିଆଯାଏ ।

ଟେଲିଭିଜନରେ ପ୍ରସାରଣ ପାଇଁ ଲାଇଲେନ୍ସ ହାସଲ ଓ ସାଟେଲାଇଟ୍ ରାଇଟ୍ସ ଆଇପିଏଲର ଆଉ ଏକ ପ୍ରମୁଖ ଦିଗ । ପ୍ରସାରଣ ବାବଦରେ ପ୍ରାୟ ୫ ହଜାର କୋଟିରୁ ଟଙ୍କାର ବଜେଟ୍ ରହିଥାଏ । ପୂର୍ବରୁ ଚୁକ୍ତି ହୋଇଥିବା ସଂସ୍ଥା ହିଁ ପ୍ରସାରଣ ଦାୟିତ୍ୱ ନେଇଥାନ୍ତି । ସେମାନେ ଆଡଭାଟାଇଜର୍ସଙ୍କ ଟଙ୍କା ସିଧାସଳଖ ନେଇଥାନ୍ତି । ଏହାସହ ଆଇପିଏଲ୍ ଆୟୋଜନ ହେଉଥିବା ଷ୍ଟାଡାୟମର ଖର୍ଚ୍ଚ ମଧ୍ୟ ବହନ କରିଥାଏ ବିସିସିଆଇ । ଏବେ ଯଦି ଆଇପିଏଲ୍  ବନ୍ଦ ହେଉଛି ତେବେ ଏ ସବୁ କ୍ଷତି ସହିବେ । ଏଯାଏଁ ଟିକେଟ୍ ବିକ୍ରୀ ହୋଇନଥିବାରୁ ଟୁର୍ଣ୍ଣାମେଣ୍ଟ ସନ୍ଦେହ ଘେରରେ ରହିଛି । ମୋଟାମୋଟି ୨୦୨୦ରେ ୫୦ ହଜାର କୋଟି ଟଙ୍କାର କ୍ଷତି ହେବାର ସମ୍ଭାବନା ରହିଛି ଯଦି ଏଥର ଆଇପିଏଲ୍ ବନ୍ଦ ହୁଏ ।

Leave a Reply