ହାତୀଙ୍କ ଦୌରାତ୍ମ୍ୟ, ଉତ୍ପାତ କରୁଛନ୍ତି ୮୦ ଟିକିଆ ହାତୀ ପଲ

ଢ଼େଙ୍କାନାଳ: ଢ଼େଙ୍କାନାଳରେ ହାତୀଙ୍କ ଦୌରାତ୍ମ୍ୟ । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଆସି ଜନବସତିରେ କରୁଛନ୍ତି ଉତ୍ପାତ । ପ୍ରାୟ ୮୦ରୁ ଅଧିକ ହାତୀ ଏବେ ଢ଼େଙ୍କାନାଳର ପରଜଙ୍ଗ ଅଞ୍ଚଳ ମହାବୀର ରୋଡ୍‌ ରେଞ୍ଜରେ ଉତ୍ପାତ ଆରମ୍ଭ କରିଛନ୍ତି । ଦିନକୁ ଦିନ ଏହି ଅଞ୍ଚଳରେ ଗଜରାଜଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଏତେ ମାତ୍ରାରେ ହାତୀ ପଲଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇରହିଛନ୍ତି ।

ତେବେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ଓ ସ୍ଥାନୀୟ ଲୋକ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ରାତିଦିନ ଏକ କରିଛି ବନ ବିଭାଗ । ୪୦ ଜଣିଆ ସ୍ୱତନ୍ତ୍ର ଟିମ୍‌ ଲୋକଙ୍କଠାରୁ ହାତୀକୁ ଦୂରେଇ ରଖିବା ପାଇଁ କାମ କରୁଛି । ଏଥିରେ ବନବିଭାଗକୁ ବିଶେଷ ସହଯୋଗ କରୁଛି ଐରାବତ । ଯାହା ହାତୀ ମାନଙ୍କୁ ଘଉଡ଼ାଇବା ସହିତ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଗତ କିଛିଦିନ ହେବ ହାତୀ ପଲ ପରଜଙ୍ଗ ଅଂଚଳର ବିଭିନ ଗ୍ରାମରେ ଆତଙ୍କ ଖେଳାଇଛନ୍ତି । ଧାନ ଫସଲ ଯୋଗୁଁ ହାତୀପଲ ଏହି ଅଞ୍ଚଳ ଛାଡ଼ି ଯିବାର ନା ଧରୁନାହାନ୍ତି । ଧାନ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ବିଶେଷ କରି ରାତି ହେଲେ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳେ । ବନ ବିଭାଗ ପକ୍ଷରୁ ଡ୍ରୋନ୍‌ କାମେରା ମାଧ୍ୟମରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି ।

Leave a Reply