ଚମକିବେ ଶ୍ରୀଜିଉ… ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା

Chitalagi Amavasya ritual of holy trinity to be performed in puri today

ପୁରୀ: ଶ୍ରାବଣ ମାସର ତିଥିରେ ଗଣପର୍ବ ଚିତାଲାଗି ଅମାବାସ୍ୟା ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କର ଚିତାଲାଗି କରନ୍ତି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି ଅମାବାସ୍ୟା  ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେବାୟତ ଓ ପତିମହାପାତ୍ର ସେବାୟତ ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକ୍ୟର ଦୁର୍ମୁଲ୍ୟ ଚିତା ପରିଧାନ କରାଇବେ ।

ଚିତା ଲାଗି ପାଇଁ ପାଟରା ସେବାୟତ ମାନେ ବାସୁଙ୍ଗା ପାଟରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ ଓ ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ତିଆରି କରିବା ପରେ ଆଜିର ପବିତ୍ର ଦିନରେ ଦଇତାପତି ସେବକ ମାନେ ଶ୍ରୀଜଗନ୍ନାଥଙ୍କୁ ହୀରା ,ବଡ ଭାଇ ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ ରେ ଖଚିତ ଚିତା ପରିଧାନ କରାଇବେ । ତେବେ ଏହି ସେବା ନୀତି ଅତ୍ୟନ୍ତ  ଗୁପ୍ତ ଭାବେ ସମ୍ପାଦନ କରାଯାଇଥାଏ । ସ୍ନାନ ପୂର୍ଣ୍ଣମୀ ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିବା ପରେ ଶ୍ରୀଜିଉ ମାନଙ୍କ ଚିତା ଓ ରାହୁ ରେଖା ଭଣ୍ଡାର ଘରେ ରହିଥାଏ ।  ସେହି ଚିତାକୁ ଆଜି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ମାନଙ୍କୁ ଲାଗି କରାଯାଏ  ।

(ନନ୍ଦିଘୋଷ ବ୍ୟୁରୋ)

Leave a Reply