ପ୍ରଲୋଭନ ଦେଖାଇ ଠକିଦେଲା କମ୍ପାନୀ: ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚେକ୍ ବାଉନ୍ସ

କୋଣାର୍କ, (ମାନସ ଖଣ୍ଡୁଆଳ): ଘରୋଇ କମ୍ପାନୀ ଜାଲରେ ପଡ଼ି ଠକାମୀର ଶିକାର ହୋଇଛନ୍ତି  ଚାଷୀ । ଧାନ ନେଇ କମ୍ପାନୀ ଛୁ । ଧାନ ବାବଦକୁ କମ୍ପାନୀ ଦେଇଥିବା ଚେକ୍‌ ବାଉନ୍ସ ହେବା ପରେ ଚାଷୀ ଏବେ ବାର ଦୁଆର ହେଉଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ ବ୍ଲକର ଚାଷୀ ଲକ୍ଷଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଆର୍‌ଏସ୍‌ ବ୍ରଦର୍ସ ନାମକ କେରଳର ଏକ ଘରୋଇ କମ୍ପାନୀର ଜାଲରେ ଫସିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ୍‌ ଅଞ୍ଚଳର ଚାଷୀ । ଜୈବିକ ପଦ୍ଧତିରେ କଳାବତୀ ଧାନ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲା କମ୍ପାନୀ । ଏକର ପିଛା ୧୫ ହଜାର ଟଙ୍କା ନେଇ ବିହନ ଏବଂ ଔଷଧ ଦେଇଥିଲା  । ଅମଳ ପରେ କମ୍ପାନୀ ଧାନ ନେଇଯାଇଛି  । କିନ୍ତୁ ଚାଷୀଙ୍କୁ ଦେଇଥିବା ଚେକ୍ ବାଉନ୍‌ସ ହୋଇଯାଇଛି  ।

କେବଳ ନିମାପଡ଼ା ଭୋଗସଳଦା ଗାଁର ୪୮ ଜଣ ଚାଷୀଙ୍କର ୪୦ ଲକ୍ଷରୁ ଅଧିକ ଟଙ୍କାର ଚେକ୍ ବାଉନ୍‌ସ ହୋଇଛି  । ହିସାବ କଲେ ଠକେଇର ଶିକାର ହୋଇଥିବା ଚାଷୀଙ୍କ ସଂଖ୍ୟା ଓ ଟଙ୍କା ଯଥେଷ୍ଟ ହେବ  । ଏନେଇ ଆମେ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ନିମାପଡ଼ା କୃଷି ଅଧିକାରୀ କହିଛନ୍ତି, ବିଧିବଦ୍ଧ ଅଭିଯୋଗ ଆସିଲେ ତଦନ୍ତ କରି ପଦକ୍ଷେପ ନିଆଯିବ  ।

କ୍ୱିଣ୍ଟାଲ ପିଛା ୬ ହଜାର ଟଙ୍କାରେ ଧାନ କିଣିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀ ଆଗ୍ରହର ସହ ଚାଷ କରିଥିଲେ ଓ କମ୍ପାନୀକୁ ଧାନ ଦେଇଥିଲେ । ଏବେ ଠକାମିର ଶିକାର ହୋଇଛନ୍ତି  ।

Leave a Reply