ଏକତରଫା ପ୍ରେମକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼

knife

ଭୁବନେଶ୍ୱର: ଏକତରଫା ପ୍ରେମ ଓ ଟଙ୍କା କାରବାରକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼ । ଜଣେ ଅଟୋ ଚାଳକଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର । ମହିଳା ଜଣକ ହେଲେ ପଟିଆ ଷ୍ଟେସନ ଅଞ୍ଚଳର ରଶ୍ମିତା ମହାନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ପିଠି, ପେଟ ଓ ଜଂଘରେ ଲାଗିଛି ଗୁରୁତର ଆଘାତ । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ପଟିଆ ଷ୍ଟେସନ ନିକଟରେ । ଆକ୍ରମଣକାରୀ ଅଟୋ ଚାଳକ ହେଉଛନ୍ତି ପଟିଆ ଅଞ୍ଚଳର ଦୟାନିଧି ମହାପାତ୍ର । ଘଟଣା ପରେ ଅଭିଯୁକ୍ତ ଦୟାନିଧି ଫେରାର ହୋଇଯାଇଛି । ସ୍ୱାମୀ ମଦନ ମହାନ୍ତି ହାଇଦ୍ରାବାଦରେ ଚାକିରୀ କରୁଥିବା ବେଳେ ରଶ୍ମିତା ୨ ଝିଅଙ୍କ ସହିତ ପଟିଆ ଷ୍ଟେସନ ନିକଟ ମହାବୀର ବସ୍ତିରେ ରହୁଥିଲେ । ରଶ୍ମିତା ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ ।

ଗତ କିଛି ମାସ ହେଲା ରଶ୍ମିତାଙ୍କର ଅଟୋ ଚାଳକ ଦୟାନିଧିଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା । ରଶ୍ମିତାଙ୍କୁ ଦୟାନିଧି ବାରମ୍ବାର ଏକତରଫା ପ୍ରେମ ନିବେଦନ ସହ ଜୋର ଜବରଦସ୍ତ ଟଙ୍କା ଛଡାଇ ନେଉଥିଲା । ଏନେଇ ପୂର୍ବରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇ ମାମଲା ସମାଧାନ ହୋଇଥିଲା । ତେବେ ଆଜି ଅଫିସ୍‌ରୁ ଫେରିବା ସମୟରେ ରଶ୍ମିତାଙ୍କୁ ଆକ୍ରମଣ କରି ଦୟାନିଧି ଫେରାର ହୋଇଯାଇଛି ।

Leave a Reply