ବଜେଟ୍‌ ପୂର୍ବରୁ କେନ୍ଦ୍ର ପାଖରେ ରାଜ୍ୟର ଦାବି, ଓଡ଼ିଶା ତାର ପ୍ରାପ୍ୟ ପାଉନି

1 min read
Rail Budget

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଆଗତ ପୂର୍ବରୁ କେନ୍ଦ୍ର ପାଖରେ ରାଜ୍ୟ ରଖିଛି ଦାବି । ରେଳ ପ୍ରକଳ୍ପ ପାଇଁ ଓଡ଼ିଶାକୁ ୭ ହଜାର ୨ଶହ କୋଟି ଟଙ୍କା ଦେବାକୁ ଓଡ଼ିଶା ଦାବି କରିବା ସହ ୧୩ଟି ପ୍ରସ୍ତାବ ଦେଇଛି । ଏହାସହ ଇଣ୍ଟରନେଟ୍‌ ଓ ଟେଲି ପ୍ରକଳ୍ପ ସେସ୍‌କୁ କେନ୍ଦ୍ରୀୟ ଟିକସରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି, କେନ୍ଦ୍ର ପାଖରେ ରଖିଛି ରାଜ୍ୟ । ଏଥର ବଜେଟରେ ଓଡ଼ିଶା ତାର ହକ୍ ମାଗିଛି, ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଖୋର୍ଦ୍ଧା-ବଲାଙ୍ଗିର, ନବରଙ୍ଗପୁର-ଜୟପୁର, ତାଳଚେର-ବିମଳାଗଡ ଓ ଜୟପୁର-ମାଲକାନଗିରି ପରି ରେଳ ପ୍ରକଳ୍ପଗୁଡିକ ବର୍ଷବର୍ଷ ଧରି ଅଧପନ୍ତରିଆ ଭାବରେ ପଡ଼ିରହିଛି । ଆଉ ଏଥିଲାଗି ଅର୍ଥ ସାଜିଛି ପ୍ରତିବନ୍ଧକ । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶାରେ ରେଳପ୍ରକଳ୍ପର ଉନ୍ନତିକରଣ ପାଇଁ ଅତିକମ୍‌ରେ କେନ୍ଦ୍ରର ୭ହଜାର ୨ଶହ କୋଟି ଟଙ୍କା ଆବଶ୍ୟକ ଅଛି । ବଜେଟ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦାବି ରଖିଛି ରାଜ୍ୟ ।

ତେବେ ଏଥର କେନ୍ଦ୍ର ବଜେଟରେ କେତେ ଟଙ୍କା ଦେଉଛି ତାହାକୁ ନେଇ ଆରମ୍ଭ ହୋଇଗଲାଣି ବାକ୍ ଯୁଦ୍ଧ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ରେଳବାଇ କ୍ଷେତ୍ରରେ କେନ୍ଦ୍ର ସିଂହଭାଗ ଟିକସ୍ ନେଉଛି । ହେଲେ ସେହି ଅନୁସାରେ ଅର୍ଥ ଦେଉନଥିବାରୁ ରାଜ୍ୟରେ ଅନେକ ରେଳପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହିଛି । ବିଜେଡି କହିଛି ଯେ, କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ ଅନୁଦାନ କମିବା ଓ ଠିକ ସମୟରେ ନମିଳିବାରୁ ଅନେକ ପ୍ରକଳ୍ପ ବର୍ଷବର୍ଷ ଧରି ସଂପୂର୍ଣ୍ଣ ହୋଇପାରୁନାହିଁ ।

ସେପଟେ ବିଜେପିର ଯୁକ୍ତି କିନ୍ତୁ, ଭିନ୍ନ । ଓଡିଶା ବଜେଟ୍‌ରେ ଅନୁଦାନ ମାଗିବା ପୁର୍ବରୁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ରାଜ୍ୟ ସରକାର ନିଜ ଭୂମିକା ଠିକ୍ ରୁପେ ତୁଲାଉନଥିବାରୁ ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ । ଏପରିକି ରେଳପ୍ରକଳ୍ପ ଗୁଡିକ ପାଇଁ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ସାଜିଛି ବୋଲି ବିଜେପି ଅଭିଯୋଗ କରିଛି । ଖୋର୍ଦ୍ଧା-ବଲାଙ୍ଗିର ପରି ଦୀର୍ଘଦିନ ଧରି ପଡିରହିଥିବା ରେଳପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ନିଜସ୍ୱ ପାଣ୍ଠି ବ୍ୟୟ କରିଛି ।

Leave a Reply