ଆନ୍ଦୋଳନରତ ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ବିଜେପି ନେତା ପୃଥ୍ୱୀରାଜ

Prithiviraj

ଭୁବନେଶ୍ୱର: ଚାଷୀଙ୍କୁ ଦେଶଦ୍ରୋହୀ କହିଲା ବିଜେପି । କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଦେଶଦ୍ରୋହୀ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଚାଷୀଙ୍କୁ କଂଗ୍ରେସ ଓ ବାମଦଳ ଉସ୍‌କାଇ ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି । ବିଜେପିର ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଛି ବିଜେଡି । କଂଗ୍ରେସ ମଧ୍ୟ ବିଜେପିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ।

ସେପଟେ ଓଡ଼ିଶାରେ ଧାନମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀ ହଇରାଣ ହେଉଥିବା ମଧ୍ୟ ବିଜେପି ଅଭିଯୋଗ କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି ବିଜେପି । ବିଜେପିର ଏଭଳି ଆଭିମୁଖ୍ୟକୁ ବିଜେଡି କଡ଼ା ସମାଲୋଚନା କରିଛି । ଏହା ବିଜେପିର କେଉଁଭଳି ଥିଓରି ବୁଝି ହେଉନାହିଁ କହିଛି ବିଜେଡି । ଏହା କହିବା ପୂର୍ବରୁ ବିଜେପି ନେତାମାନେ ସମୀକ୍ଷା କରିବା ଦରକାର । ଗଣତନ୍ତ୍ରରେ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ଅଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ସେପଟେ କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ଗୋଟିଏ ପଟେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଦିଲ୍ଲୀରେ ଚାଷୀ ଶୀତ କାକରରେ ବସିଥିବା ବେଳେ ରାଜ୍ୟରେ ଚାଷୀମାନେ ଶାଗମାଛ ଦରରେ ଧାନ ବିକୁଛନ୍ତି । ଉଭୟ ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କଂଗ୍ରେସ ଦାବି କରିଛି । ଆଗକୁ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି  ।

Leave a Reply