୪୨ ଡିଗ୍ରୀ ତାପମାତ୍ରାରେ ସାଇକେଲରେ ଖାଦ୍ୟ ଡେଲିଭରି କରୁଛନ୍ତି ଶିକ୍ଷକ

2 min read
Zomato Delivery Boy Delivers Food On Time 42 Degree Temperature Cycel

ନୂଆଦିଲ୍ଲୀ: ଏପ୍ରିଲ୍ ଖରା ବାୟା କଲାଣି । ଜରୁରୀ କାମ ନଥିଲେ ଘରୁ ଲୋକେ ବାହାରକୁ ବାହାରୁ ନାହାନ୍ତି । ଗ୍ରୀଷ୍ମ ପ୍ରକୋପ ଯୋଗୁ ଲୋକେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଥରେ ଭାବିଲେ ଯେଉଁମାନେ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ରହି ଜୀବନ ଜିଉଁଛନ୍ତି ଅଥବା ଜୀବିକା ନିର୍ବାହ କରୁଛନ୍ତି । ଯେଉଁମାନଙ୍କ କାମ ସଡ଼କରେ ଧାଁ ଦୌଡ଼ କରିବା । ଏମିତି ଜଣେ ଖାଦ୍ୟ ଡେଲିଭରି ବଏ ଯିଏକି ପ୍ରବଳ ଖରା ଓ ଗରମରେ ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କ ପାଖରେ ଥଣ୍ଡା ପାନୀୟ ଓ ଖାଦ୍ୟ ପହଞ୍ଚାଇଛନ୍ତି ।

ପ୍ରବଳ ଖରାରେ ଜଣେ ଡେଲିଭରି ବଏ ରାଜସ୍ଥାନରେ ଖାଦ୍ୟ ଡେଲିଭରି କରି ଚର୍ଚ୍ଚାକୁ ଆସିଛନ୍ତି । ୪୨ ଡିଗ୍ରୀ ତାପମାତ୍ରାରେ ସାଇକେଲରେ ଯୋଗାଇଛନ୍ତି ଖାଦ୍ୟ । ଏବେ ତାଙ୍କ ଚର୍ଚ୍ଚା ସୋସିଆଲ୍ ମିଡିଆରେ ହେଉଛି । ଲୋକେ ଖାଲି ଚର୍ଚ୍ଚା କରୁଛନ୍ତି ତା ନୁହେଁ କର୍ତ୍ତବ୍ୟନିଷ୍ଠତାକୁ ଦେଖି ଏତେ ଟଙ୍କା ଓଜାଡ଼ି ଦେଇଛନ୍ତି ଯେ ସେ ଏବେ ବାଇକ୍ କିଣିବାକୁ ସକ୍ଷମ ।

ଏପ୍ରିଲ୍ ୧୧ରେ ଆଦିତ୍ୟ ଶର୍ମା ଡେଲିଭରି ବଏକୁ ନେଇ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଆଜି ମୋ ଅର୍ଡର ସମୟରେ ମିଳିଛି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଡେଲିଭରି ବଏ ସାଇକେଲରେ ଆସି ଅର୍ଡର ପହଞ୍ଚାଇଛନ୍ତି । ସେ ଆହୁରି ଲେଖିଛନ୍ତି ୪୨ ଡିଗ୍ରୀ ଖରା ସତ୍ତ୍ୱେ ସମୟରେ ଖାଇବା ମିଳିଛି । ସେ ଡେଲିଭରି ବଏ ଦୁର୍ଗାଶଙ୍କର ମୀଣାଙ୍କ କାହାଣୀ ଲେଖିଛନ୍ତି । ଦୁର୍ଗା ବି.କମ୍ ପଢ଼ିଥିବା ବେଳେ ୧୨ ବର୍ଷ ଧରି ଏକ ଘରୋଇ ସ୍କୁଲରେ ଇଂରାଜୀ ଶିକ୍ଷକ ଥିଲେ । କରୋନାରେ ଚାକିରି ଚାଲିଯିବା ପରେ ଜମାଟୋରେ ଡେଲିଭରି ବଏ କାମ କରୁଛନ୍ତି । ଏବେବି ସେ ଅନଲାଇନ୍ ଟ୍ୟୁସନ୍ କରୁଥିବା ବେଳେ ଡେଲିଭରି କାମରୁ ମିଳୁଥିବା ଟଙ୍କାରେ ଲାପଟପ୍ କିସ୍ତି ଶୁଝୁଛନ୍ତି ।

ଦୁର୍ଗାଙ୍କ ଅନୁସାରେ, ସେ ଦୈନିକ ୧୦ରୁ ୧୨ଟି ଡେଲିଭରି କରିଥାନ୍ତି । ଏମିତିରେ ବାଇକ୍ ମିଳିଲେ ତାଙ୍କ କାମ ସହଜ ହୋଇଯିବ । ଏହା ଜଣାପଡ଼ିବା ପରେ ଦୁର୍ଗାଶଙ୍କରଙ୍କ ୟୁପିଆଇ ଆଇଡିରେ କ୍ରାଉଡ୍ ଫଡିଂ ଆରମ୍ଭ ହୋଇଯାଇଥିଲା । ମାତ୍ର ୩ ଘଣ୍ଟାରେ ଲୋକ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଛନ୍ତି । ଗୋଟିଏ ବାଇକ୍ ପାଇଁ ତାଙ୍କୁ ୭୫ ହଜାର ଟଙ୍କା ଦରକାର । ଏବେ ସେ ବାଇକ୍ ସହ ଅନ୍ୟ ଜରୁରୀ ସାମଗ୍ରୀ କିଣିପାରିବେ ।