ସାବଧାନ ଅମାନିଆ: ସେପ୍ଟେମ୍ବରରେ ବିନା ହେଲମେଟରେ ଘରୁ ବାହାରିଲେ…

1 min read

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ । ବିନା ହେଲମେଟରେ ଗାଡି ଚଲାଇଲେ କରାଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗାମୀ ପୂଜା ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ଆହୁରି ଅଧିକ କଠୋର କରାଯାଇଛି । ଏନେଇ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ପରିବହନ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଚଳିତମାସ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ମୋଟରଯାନ ନିୟମ ଭଙ୍ଗୁଥିବା ଅମାନିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାସହ ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପାନ କରି ଗାଡ଼ି ଚଲାଇବା, ହେଲମେଟ ଯାଞ୍ଚ, ସ୍କୁଲ ବସ୍, ଓଭର ଲୋଡିଂ ଓ ଫିଟନେସ୍ ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ରୁ ୩୦ ତାରିଖ ଦୁଇ ସପ୍ତାହ ଧରି ବାଇକ୍ ଆରୋହୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା । ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ା ଚେକିଂ କରାଯିବା ସହ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ୨୪ ହଜାର ୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନଫୋର୍ସମେଣ୍ଟ ଟିମ୍ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ବାବଦକୁ ଆଦାୟ କରିଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଇବା କାରଣରୁ ୧୨ ହଜାର ୫୪୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୧ରେ ସଡ଼କ ଦୁର୍ଘଟଣାରେ ୮୬୮ ଜଣ ବାଇକ ଚାଳକ ଓ ୪୪୦ ଜଣ ବାଇକ ଆରୋହୀଙ୍କୁ ମିଶାଇ ମୋଟ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ ।

ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଲାଲମୋହନ ସେଠୀ କହିଛନ୍ତି, ‘ବାଇକ ଚାଳକଙ୍କ ବିରୋଧରେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ରୋକିବା ପାଇଁ ଚାଳକଙ୍କ ମଧ୍ୟରେ ଦାୟିତ୍ବବୋଧ ସୃଷ୍ଟି କରିବା । ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଥିଲେ ମଧ୍ୟ ରାଜପଥରେ ହେଲମେଟ ନପିନ୍ଧି ଗାଡ଼ି ଚଲାଇବା କାରଣରୁ ଦୁର୍ଘଟଣା ଘଟୁଛି ।’